ଭୁୁବନେଶ୍ୱର/ ବ୍ୟୁରୋ: ମୋ ବାପା ମୋ ମମ୍ମିକୁ ଧରିଥିଲା । ମୋ ବଡ ମା’ କିରୋସିନି ପକେଇଲା, ନିଆଁ ଲଗେଇଦେଲା । ଦରୋଟି ଓଠରେ କୁନି ଝିଅଟି କହୁଛି କିପରି ତା ମାକୁ ହତ୍ୟାକରିଛନ୍ତି ତାର ଘର ଲୋକ । ମା ମରିଯାଇଛି, ହେଲେ ନିରୀହ ଝିଅଟି ବୁଝୁନି କି ଆଉ ତା ମା ଫେରିବନି । ମା ଚାଲି ଯାଇଛି ଅଫେରା ରାଇଜକୁ । ଅନ୍ୟପଟେ ନିଜ ଝିଅକୁ ହରାଇ ଅସହାୟ ବାପା ମା ହୋଇଛନ୍ତି ଥାନାର ଦ୍ୱାରସ୍ଥ ।
ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ଗ୍ରାମର ଗରିବ ଅଭୟ ସେଠୀଙ୍କ ଝିଅ ଲୋଚନର ନିକଟବର୍ତ୍ତୀ ଅଚ୍ୟୁତପୁର ଗ୍ରାମର ଜଗନ ସେଠୀଙ୍କୁ ୮ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି । କିନ୍ତୁ ବିବାହ ପରଠାରୁ ଲୋଚନଙ୍କୁ ଶାଶୂଘର ଲୋକେ ହଇରାଣ କରୁଥିଲେ । ସ୍ୱାମୀ ଓ ବଡ ଯାଆ ତାଙ୍କୁ ଯୌତୁକ ଆଣିବାକୁ ବାଧ୍ୟ କରିବା ସହ ମାଡ ମଧ୍ୟ ମାରୁଥିଲେ । ଏନେଇ ଲୋଚନ ଘରେ ବହୁବାର କହିଛନ୍ତି । କିନ୍ତୁ ଅଭୟଙ୍କର ସକ୍ଷ୍ୟ ନଥିଲା ଯୌତୁକ ବାବଦକୁ କିଛି ଦେବାକୁ, କାରଣ ସେ ୫ ଝିଅର ବାପା । ଜମି ବାଡି ବୋଲି କିଛି ନାହିଁ । ଧାର କରଜ କରି ଝିଅଙ୍କୁ ସବୁ ବାହା ଦେଉଛନ୍ତି । ଏହା ବ୍ୟତୀତ ସ୍ୱାମୀ ଜଗନ ଓ ବଡ ଯାଆଙ୍କର ଅନୈତିକ ସମ୍ପର୍କ ବିଷୟରେ କହୁଥିଲେ ।
ତେବେ ଗତ ୪ ତାରିଖ ରାତିରେ କୁନି ଛୁଆ ଦି ଜଣ ଶୋଇଥିବା ବେଳେ ହଠାତ୍ ମାର ଚିତ୍କାର ଶୁଣି ଝିଅର ଆଖି ଖୋଲିଯାଇଥିଲା । ବାପା ତାର ମାକୁ ଧରିଥିବା ବେଳେ ବଡ ମା କିରାସିନ ଢାଳି ନିଆଁ ଲଗାଇ ଦେଇଥିଲା । ମା ଜୀବନ ବିକଳରେ ଚିକ୍ରାର କରିଥିଲା । ସାହି ପଡିଶା ଚିତ୍କାର ଶୁଣି ଆସିଲା ବେଳକୁ ଲୋଚନଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ରାଜକନିକା ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ କଟକ ରେଫର କରିଦିଆଗଲା ଓ କଟକରେ ତାଙ୍କ ମୃତ୍ୟୁ ହେଲା । ଲୋଚନଙ୍କ ପରିବାରକୁ ଖବର ଦିଆଗଲା । ଲୋଚନଙ୍କ ପରିବାର ଲୋକ ଅଚ୍ୟୁତପୁରରେ ପହଞ୍ଚିବା ପୂର୍ବରୁ ସ୍ୱାମୀ ଜଗନ ମୃତଦେହକୁ ଆଣି ଗାଁ ଶ୍ମଶାନରେ ପୋଡିବାକୁ ସବୁ ବ୍ୟବସ୍ଥା କରୁଥିଲେ । କିନ୍ତୁ ଗ୍ରାମବାସୀ ଏହା ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ପୁଲିସକୁ ଖବର ଦିଆଗଲା ।
ଅପରପକ୍ଷରେ ଲୋଚନଙ୍କ ବାପା ଅଭୟ ଏ ନେଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ତାର ସ୍ୱାମୀ ଓ ଯାଆ ପରକୀୟା ପ୍ରୀତି ତଥା ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭୟ ଅତ୍ୟନ୍ତ ଗରିବ । ଝିଅର ମୃତ୍ୟୁ ପରେ ଝିଅର ଝିଅ ଓ ପୁଅଙ୍କ ଭବିଷ୍ୟତକୁ ନେଇ ଚିନ୍ତା ଘାରିଛି ।
previous post
next post