ଭୁବନେଶ୍ୱର: ଏପ୍ରିଲ ୧୪ରେ ଶେଷ ହେବାକୁ ଥିବା ଲକଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଜି ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିନେଇ କେନ୍ଦ୍ରକୁ ଲକଡାଉନ ଅବଧି ବୃଦ୍ଧି କରିବାକୁ ସୁପାରିଶ କରାଯିବା ସହ ଏହି ଅବଧି ପର୍ଯ୍ୟନ୍ତ ଟ୍ରେନ, ବସ ଓ ବିମାନ ଚଳାଚଳ ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଲକଡାଉନ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଲକଡାଉନ ୧୪ ତାରିଖରେ ଶେଷ ହେଉଥିବା ବେଳେ ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ବିଭିନ୍ନ ରାଜ୍ୟ ପକ୍ଷରୁ ଏହି ଅବଧି ବୃଦ୍ଧି କରିବାକୁ ସୁପାରିଶ କରିଥିଲେ ।
ଲକ୍ଡାଉନ୍ ହଟିଲେ ଦେଶରେ ଅନେକ ଜୀବନହାନି ହେବ ବୋଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ତାଙ୍କ ପୂର୍ବରୁ ଉତ୍ତରପ୍ରଦେଶ ସରକାର ବି ୧୪ ତାରିଖରେ ଲକ୍ଡାଉନ୍ ହଟିବନି ବୋଲି ପୂର୍ବରୁ ସୂଚାଇ ଦେଇଥିଲେ। ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଆଜି କହିଥିଲେ ଯେ, ଲକ୍ଡାଉନ୍ର ଶେଷ ସପ୍ତାହ ଅତ୍ୟନ୍ତ ଚିନ୍ତାଜନକ। କରୋନା ଭାଇରସ୍ ବ୍ୟାପିବା ତଥ୍ୟକୁ ଆଧାର କରି ସରକାର କିଛି ନିଷ୍ପତ୍ତି ନେବେ। ତେବେ ସରକାର ଯେ କୌଣସି ନିଷ୍ପତ୍ତି ନେଲେ ବି ସମସ୍ତ ଲୋକେ ଏହାକୁ ମାନିନେବାପାଇଁ ନାଇଡ଼ୁ ଅନୁରୋଧ କରିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।
