ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା। ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାର ବିପକ୍ଷର ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲ୍ଭାଙ୍କ ନାଁ ଘୋଷଣା କରିଥିଲେ । ଗତକାଲି ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଗଦୀପ ଧନଖଡ଼ ନାମାଙ୍କନ ଦାଖଲ କରିସାରିଛନ୍ତି। ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଓ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନିବେଦନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଚାରି ଚାରି ଥର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ମାର୍ଗାରେଟ୍ ଆଲ୍ଭା। ୭୭ ବର୍ଷିୟ ଆଲ୍ଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି। ଏଥିସହ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।ଜୁଲାଇ ୨୦ରେ ନାମାଙ୍କନ ପତ୍ର ଯାଞ୍ଚ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ।ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି ।