ଭୁବନେଶ୍ୱର: କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ କିନ୍ତୁ ସବୁ ନେତା ମନ୍ତ୍ରୀ ହୋମ କ୍ୱାରେଣ୍ଟାଇନରେ । ଅଧିକାଂଶଙ୍କର ପତ୍ତା ମିଳୁନାହିଁ । ଏପରି ସମୟରେ କିନ୍ତୁ ୪ ଥର ବିଧାୟକ ହୋଇ ୩ ଥର ନବୀନ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀପଦ ପାଇଥିବା ଯୁବ ମନ୍ତ୍ରୀ ଅରୁଣ ସାହୁ ବେଶ ଆକ୍ଟିଭ ରହିଛନ୍ତି । ବିଭାଗୀୟ କାର୍ଯ୍ୟରେ ନିୟୋଜିତ ଥିବା ସହ ଲୋକଙ୍କ ସମସ୍ୟା ମଧ୍ୟ ବୁଝୁଛନ୍ତି । ହୁଏତ ତାଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଚଳିତ ସରକାରରେ ଦଳ ସୁପ୍ରିମୋ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉଚ୍ଚଶିକ୍ଷା ଓ କୃଷି ବିଭାଗ ଦାୟିତ୍ୱ ଦେଇଛନ୍ତି ।
ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଚାଷ ଓ କୃଷକ ରାଜ୍ୟ ଅର୍ଥନୀତି ଓ ସ୍ଥିତାବସ୍ଥାର ସୂଚକ । ତେଣୁ ଅରୁଣ କୃଷି ବିଭାଗ ଦାୟିତ୍ୱ ନେବା ପରେ ଏହି ବିଭାଗ ପାଇଁ ବହୁ ବିକାଶମୂଳକ ଓ ଉପାଦେୟୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ସେ ସିଧା ସଳଖ କୃଷକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ।।ଧାନ ଦିଗରେ ପଦକ୍ଷେପ ନେଇଥାନ୍ତି । ନିଜ ଗାଁ ନୟାଗଡକୁ ଯିବା ରାସ୍ତାରେ ଅନାୟସରେ ଗାଡି ଅଟକାଇ ଲୋକଙ୍କୁ ସେମାନଙ୍କ ଚାଷବାସ ସମ୍ପର୍କରେ ପଚାରି ବୁଝିଥାନ୍ତି । ତେଣୁ ଚାଷୀର ସମସ୍ୟା ସମ୍ପର୍କରେ ଜାଣିବାକୁ ସେ କୌଣସି ମାଧ୍ୟମର ସାହାଯ୍ୟ ଲୋଡନ୍ତି ନାହିଁ । ଅରୁଣ ନିଜେ ଜଣେ ଚାଷୀ ପୁଅ ହୋଇଥିବାରୁ ଚାଷ ଓ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛନ୍ତି ।
ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ଅରୁଣ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଧୋଗତି ନେଇ ଅଭିଯୋଗ ଆସୁଥିଲା । ସେ ଏହି ବିଭାଗର ଦାୟିତ୍ୱ ନେବା ପରେ ଶିକ୍ଷାର ମାନ ବୃଦ୍ଧି ଦିଗରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ଶିକ୍ଷା କ୍ଷେତ୍ରରେ ଶିକ୍ଷକ ବା ଅଧ୍ୟାପକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସାଧାରଣତଃ ଆମ ରାଜ୍ୟରେ ଅଧ୍ୟାପକ/ଅଧ୍ୟାପିକା ତଥା କର୍ମଚାରୀ ମନମୁଖୀ କାମ ଚଳାଇଥିଲେ । ମନ ଇଛା କଲେଜ ଆସିବା, କ୍ଲାସ ନ ନେବା ଏକ ସାଧାରଣ କଥା ଥିବା ଏକ ବର୍ଷ ପୂର୍ବରୁ । ଅରୁଣ ଏହି ବ୍ୟବସ୍ଥା ସହ ବେଶ ପରିଚିତ ଥିଲେ । କାରଣ ସେ ତାଙ୍କ ସମୟରେ କଲେଜ ତଥା ୟୁନିଭର୍ସିଟିର ଛାତ୍ର ନେତା ଥିଲେ । ଏହି ସବୁ ସମସ୍ୟା ବିରୋଧରେ ଠିଆ ହୋଇଥିଲେ । ଯେତେବେଳେ ବିଭାଗର ମନ୍ତ୍ରୀ ଭାବେ ଠିଆହେଲେ ସେତେବେଳେ ପ୍ରଥମେ ସେ ଏହି ମନମୁଖୀ କାମ ଉପରେ ପ୍ରତିବନ୍ଧକ ଲଗାଇଲେ । କଲେଜରେ ବାୟୋମେଟ୍ରିକ ସିଷ୍ଟମ ପ୍ରଚଳନ କଲେ । ସେହିପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ମଧ୍ୟ ବାଧ୍ୟତାମୂଳକ ୭୫ ପ୍ରତିଶତ କଲେ, ଯାହା ଶିକ୍ଷାରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି ।
ଛାତ୍ର ଜୀବନରୁ ସାଂଗଠନିକ ଦକ୍ଷତା, ମେଳାପି, ହସମୁଖ ପ୍ରକୃତି । ସେ ସର୍ବଦା କୁହନ୍ତୁ ଜଣେ କିଛି କରି ପାରିବ ନାହିଁ । କିନ୍ତୁ ସମସ୍ତେ ଏକମନ ହୋଇ କାମ କଲେ କୌଣସି ବି ଚ୍ୟାଲେଞ୍ଜରେ ସଫଳତା ମିଳିବ । ଏହା ବ୍ୟତୀତ ଦାୟିତ୍ୱବୋଧ ତାଙ୍କ ନିକଟରେ ଭରପୂର ହୋଇ ରହିଛି, ଯାହା ଅନ୍ୟ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ତାଙ୍କୁ ଲୋକପ୍ରିୟ କରାଇଛି ।
