NEET-UG ପରୀକ୍ଷା ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ପୁନଃପରୀକ୍ଷା ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟ ଆଜି ଏହି ଆବେଦନ ଉପରେ ବିଚାର କରି ପୁନଃପରୀକ୍ଷା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।
ପେପର ଲିକ୍କୁ ନେଇ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି ହୋଇଥିଲା । ପୁନଃ ପରୀକ୍ଷା ହେଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍ସି ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ।
ଆଇଆଇଟି ମାଡ୍ରାସ ରିପୋର୍ଟ ଅନୁଯାୟୀ ସାରା ଦେଶରେ ପେପର୍ ଲିକ୍ ହୋଇନାହିଁ। ପୁଣିଥରେ ପରୀକ୍ଷା କରାଗଲେ ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହେବେ। ମେଡିକାଲ ପଢ଼ା ଆରମ୍ଭ ହେବାରେ ବିଳମ୍ବ ହେବ। ଭବିଷ୍ୟତରେ ପ୍ରଶିକ୍ଷିତ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇପାରେ।
