ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭ ହେବାର ଗୋଟିଏ ଦିନ ପରେ ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ୍ ଅର୍ଥାତ୍ ଇଣ୍ଡିଆ ହାଉସ୍ ଉଦଘାଟନ କରାଯାଇଥିଛି । ଭାରତୀୟ ଖେଳାଳିଙ୍କ ପାଇଁ ଏହି ଘର ନିର୍ମାଣ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ନୀତା ଅମ୍ବାନୀ ଦୀପ ଜାଳି ଇଣ୍ଡିଆ ହାଉସର ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତ ତଥା ବିଦେଶର ଅତିଥି, ଆଇଓସି ଅଧିକାରୀ ତଥା ଭାରତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ। ଏଥିରେ ଆଇଓସି କମିଟି ସଦସ୍ୟ ସେର ମିଆଙ୍ଗ, ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି.ଟି ଉଷା, ଫ୍ରାନ୍ସରେ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ ଆଶ୍ରାଫ, ବିସିସିଆଇର ଜୟ ଶାହା ଏବଂ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରା ରହିଥିଲେ।
ଇଣ୍ଡିଆ ହାଉସର ଉଦଘାଟନୀ ଉତ୍ସବରେ ଆଇଓସି ସଦସ୍ୟ ନୀତା ଅମ୍ବାନୀ କହିଛନ୍ତି, ଆଶା କରାଯାଉଛି ଖୁବ ଶୀଘ୍ର ଭାରତ ଅଲିମ୍ପିକ୍ସ ଆୟୋଜନ କରିବ। ସେ କହିଛନ୍ତି, ‘ଅଲିମ୍ପିକ୍ ଇତିହାସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ଆପଣଙ୍କୁ ସ୍ୱାଗତ । ଆଜି ଆମେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସରେ ଏକ ନୂତନ ସ୍ୱପ୍ନ ଦେଖୁଛୁ, ଏମିତି ଏକ ସ୍ୱପ୍ନ ଯାହା ୧.୪ ବିଲିୟନ ଭାରତୀୟଙ୍କର ଅଟେ । ଭାରତକୁ ଅଲିମ୍ପିକ୍ସକୁ ଆଣିବା ଏବଂ ଅଲିମ୍ପିକ୍ସକୁ ଭାରତ ଆଣିବା ଏକ ସ୍ୱପ୍ନ । ବର୍ତ୍ତମାନ ସମୟ ଆସିଛି ଯେ ଏଥେନ୍ସରେ ପ୍ରଥମ ଥର ପାଇଁ ଜଳିଥିବା ଅଲିମ୍ପିକ୍ ଜ୍ୟୋତି ମଧ୍ୟ ଆମର ପ୍ରାଚୀନ ଦେଶ ଭାରତରେ ପ୍ରଜ୍ୱଳିତ ହେବା ଉଚିତ୍। ସେ ଦିନ ଆଉ ଦୂର ନାହିଁ ଯେଉଁ ଦିନ ଭାରତ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବ । ଇଣ୍ଡିଆ ହାଉସର ଉଦଘାଟନ ଉପରେ ଏହା ଆମର ସାମୂହିକ ସଂକଳ୍ପ ।
ଇଣ୍ଡିଆ ହାଉସର ଉପରେ ନୀତା ଅମ୍ବାନୀ କହିଛନ୍ତି, ‘ଇଣ୍ଡିଆ ହାଉସକୁ ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ ଭାବରେ ଦେଖାଯାଏ। ଆମେ ଆଶା କରୁଛୁ ଏହା ଆମ ଆଥଲେଟ ମାନନଙ୍କ ପାଇଁ ଘରଠାରୁ ଦୂରରେ ଏକ ଘର ହେବ । ଇଣ୍ଡିଆ ହାଉସ୍ ଅନ୍ତିମ ଗନ୍ତବ୍ୟସ୍ଥଳ ନୁହେଁ, ଏହା ଭାରତ ପାଇଁ ଏକ ନୂଆ ଆରମ୍ଭ । ବିଦେଶରେ ଥାଇ ମଧ୍ୟ ଏଠାରେ ଭାରତ ପରମ୍ପରାର ଝଲକ ପାଇପାରିବେ ଖେଳାଳି, ଯାହା ତାଙ୍କ ମନୋବଳକୁ ବଢ଼ାଇବ ବୋଲି ଆଶା କରାଯାଇଛି ।