ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିଷ୍ପତ୍ତି ଶୁଣାଇଲେ କେନ୍ଦ୍ର ସରକାର । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି, ବିହାରକୁ ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇ ପାରିବ ନାହିଁ । ତେବେ କେନ୍ଦ୍ରର ସ୍ପଷ୍ଟୀକରଣ ପରେ ଏବେ ଆରଜେଡି ଟାର୍ଗେଟରେ ନୀତୀଶ କୁମାର ଏବଂ ଜେଡିୟୁ । କେନ୍ଦ୍ର ସରକାରଙ୍କ ଉତ୍ତରରେ ନୀତୀଶ କୁମାରଙ୍କ ମିଛ ଧରାପଡ଼ିଲା ବୋଲି କହିଛି ଆରଜେଡି । ଏହା ବ୍ୟତୀତ ଲାଲୁ ପ୍ରସାଦ ଯାଦବ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ।
। ଆଜି ସଂସଦରେ ଜେଡିୟୁ ସାଂସଦ ରାମପ୍ରିତ ମଣ୍ଡଳ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ କୌଣସି ଯୋଜନା ଅଛି କି? ତେବେ ଏହାର ଉତ୍ତରରେ ରାଜ୍ୟ ଅର୍ଥ ମନ୍ତ୍ରୀ କହିଛନ୍ତି, ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ । ତେବେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ଦେବା ପଛର କାରଣ ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଏକାଧିକ ସର୍ତ୍ତ ରହିଛି। ସ୍ୱତନ୍ତ୍ର ମାନ୍ୟତା ପାଇବା ପାଇଁ ବିହାରର ସେପରି ସ୍ଥିତି ନାହିଁ ।
ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବାକୁ ସର୍ତ୍ତଗୁଡ଼ିକ
ସେହି ରାଜ୍ୟରେ ପାହାଡ଼ିଆ ଓ କଷ୍ଟକର ରାସ୍ତା ଥିବ
ଅର୍ଥନୀତିକ ଓ ଭିତ୍ତିଭୂମି ବିକାଶରେ ପଛରେ ଥିବ
କମ ସଂଖ୍ୟା/ ବଡ଼ ସଂଖ୍ୟାରେ ଆଦିବାସୀ ଲୋକ ଥିବେ
ପଡ଼ୋଶୀ ଦେଶର ସୀମାନ୍ତରେ ଥିବ
ରାଜ୍ୟ ପାଣ୍ଠି ଯୋଗାଡ଼ କରିବାକୁ ଅକ୍ଷମ ରହୁଥିବ
ନୀତୀଶ କୁମାରଙ୍କ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ପଦକ୍ଷେପ ଉପରେ ସମସ୍ତ ନଜର ରହିଛି । କାରଣ ଏହି ପ୍ରସଙ୍ଗକୁ ନେଇ ଅନେକ ଥର ଜେଡିୟୁ ଓ ବିଜେପି ମଧ୍ୟରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି । ଏପରି କି ବଜେଟ ଅଧିବେଶ ପୂର୍ବରୁ ବିସିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କଥା ଉଠାଇଥିଲା । ତଥାପି ଜେଡିୟୁର ଦାବି ରହିନାହିଁ ।
