ଓଡିଶା

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

(ବରୀ, ମହାଭାରତ): ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ ଜଣାଯାଇଛି । ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ବିଶିଷ୍ଟ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନେ ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଓ ଲୋକପ୍ରିୟ କରିବା ପାଇଁ ନିବେଦନ କରିଛନ୍ତି ଜ୍ଝ ଓଡିଶା ସୋସାଇଟି ଅଫ ଆମେରିକାଜ (ଓସା) ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ଓଡ଼ିଶାର ସାଂସ୍କୃତିକ ମହାକୁମ୍ଭରେ ସାରା ପୃଥିବୀର ସହସ୍ରାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଜନସାଧାରଣ ଇଣ୍ଟରନେଟ ଜରିଆରେ ଯୋଗ ଦେଇଥିବା ଜଣାଯାଇଛି ।
ସମ୍ମିଳନୀକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ବିଶ୍ୱର ଓଡ଼ିଆ ମାନେ ଏକଜୁଟ ହୋଇ ବ୍ରାଣ୍ଡ ଓଡିଶାର ଶ୍ରେଷ୍ଠତ୍ଵକୁ ପ୍ରମାଣିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିଲେ ହେଁ, ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର “ମୋ ପରିବାର”ବିଶ୍ୱଭରି ଓଡ଼ିଆ ମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଘୋଷଣା କରିଥିଲେ ।
ମହୋତ୍ସବକୁ ଉଦବୋଧନ ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ସୁସ୍ଥ, ସଂଯତ ଓ ସଂପନ୍ନ ସମାଜ ନିର୍ମାଣ ପାଇଁ ଉଭୟ ବସ୍ତୁବାଦୀ ଓ ଆଧ୍ୟାତ୍ମିକ ଚିନ୍ତନ ବିକାଶ ହେବାର ଆବଶ୍ୟକତା ରହିଥିବା ସୁଚାଇଥିଲେ । ଦେଶରେ ଶାନ୍ତି ଓ ପ୍ରଗତି ପ୍ରତିଷ୍ଠା ପାଇଁ ଶିକ୍ଷା ଓ ସଂସ୍କୃତିକୁ ଉନ୍ନତ କରାଯିବା ଦରକାର ବୋଲି ସେ କହିଥିଲେ । ନୈତିକ ଓ ବୌଦ୍ଧିକ ଜ୍ଞାନୋଦୟ ଦ୍ୱାରା ମାନବର ଆତ୍ମସୁଦ୍ଧି ପ୍ରାପ୍ତ ହେଲେ ମାନବ ସମାଜ ସିଦ୍ଧି ଓ ସମୃଦ୍ଧି ହାସଲ କରିପାରିବ ବୋଲି ଗଜପତି ମହାରାଜ ମତ ପ୍ରକାଶ କରିଥିଲେ ।
ଡିଜିଟାଲ ସମାବେଶରେ ନିଜର ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୩୬ ମସିହାରେ ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ବୋଲି କହିଥିଲେ । ଓଡ଼ିଶାର ମହନୀୟତା ଓ ମହାନତା ତଥା ସମଗ୍ର ବ୍ରାଣ୍ଡ ଓଡିଶାକୁ ସାରା ବିଶ୍ୱରେ ପରିଚିତ ଓ ପ୍ରମାଣିତ କରିବା ପାଇଁ ସମ୍ପ୍ରତି ଆମ ନିକଟରେ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଜ୍ଝ ଆମର ଉନ୍ନତ ଭାଷା, ଉଚ୍ଚ ସଂସ୍କୃତି, ମହାନ ପରମ୍ପରା, ବୃହତ ସମାଜ, ଜଗନ୍ନାଥ ଧର୍ମ, ବେଳାଭୂମି, ଜଂଗଲ, ନଦୀ ସଂପଦ, ପରିବେଶ ଧର୍ମୀ ପର୍ୟ୍ୟଟନ, ଖଣି ଓ ପେଟ୍ରୋକେମିକାଲ ଆଦି ସଂପଦକୁ ଅତ୍ୟାଧୁନିକ ୫ ଜି ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ସମଗ୍ର ଦୁନିଆରେ ଲୋକପ୍ରିୟ କରିବାକୁ ପ୍ରବାସୀ ଓଡ଼ିଆ ମାନଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କେନିଆର ସାଂସଦ ଡ଼ଃ ସ୍ୱରୂପ ମିଶ୍ର ସାମିଲ ହୋଇଥିଲେ । ଜୀବନକୁ ସୁସ୍ଥ, ସରଳ, ସରସ ଓ ସୁନ୍ଦର କରି ଗଢି ତୋଳିବାର ମହତ ଲକ୍ଷ୍ୟ ନେଇ କେନିଆ ଓ ଓଡିଶା ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଜ୍ଝ ବିଶେଷ କରି ସ୍ୱାସ୍ଥ୍ୟ, କୃଷି,ଖଣି, ପର୍ୟ୍ୟଟନ,କ୍ରୀଡା, ଶିଳ୍ପ ଓ ବାଣିଜ୍ୟ ଆଦି କ୍ଷେତ୍ରରେ କେନିଆ ଓ ଓଡିଶା ମଧ୍ୟରେ ଘନିଷ୍ଠ ଯୋଗସୂତ୍ର ସ୍ଥାପନ ହୋଇ ପାରିବ ବୋଲି ଡ଼ଃ ମିଶ୍ର ଦୃଢ ଆଶା ପ୍ରକଟ କରିଥିଲେ ।
ସମାବେଶକୁ ଭିଡ଼ିଓ କାନଫରେନସିଂ ଜରିଆରେ ସମ୍ବୋଧନ କରି କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଶିକ୍ଷା, ସଂସ୍କୃତି ଓ କଳା କ୍ଷେତ୍ରରେ କୁଶଳତା ମାଧ୍ୟମରେ ଉତ୍କୃଷ୍ଟତା ଲାଭ କରାଯାଇ ପାରିଲେ ଆମେ ନିଜକୁ ଧନ୍ୟ ମନେ କରିବା । ଏହା ସାଙ୍ଗକୁ ବ୍ରାଣ୍ଡ ଓଡିଶାର ଯଥାର୍ଥତା ଓ ସାର୍ଥକତା ଆନ୍ତର୍ଜାତୀକ ସ୍ତରରେ ପ୍ରତିପାଦିତ ଓ ପ୍ରମାଣିତ ହୋଇ ପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ‘ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ ବିଶ୍ୱଭରି ପ୍ରବାସୀ ଓଡ଼ିଆ ମାନଙ୍କର ଠିକଣା ଓ ଫୋନ ନମ୍ବରକୁ ନେଇ ଏକ ଡାଟା ଆଧାରିତ ଡିଜିଟାଲ ଡାଇରେକ୍ଟରୀ ପ୍ରସ୍ତୁତ କରିବା ପାଇଁ ମହୋତ୍ସବରେ ଯୋଗ ଦେଇଥିବା ପ୍ରତିନିଧି ମାନଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ।
ବରିଷ୍ଠ ପ୍ରଶାସକ ବିଶାଳ ଦେବ, ଓଡ଼ିଶାର ମହାନ କଳା, ସଂସ୍କୃତି ଏବଂ ପ୍ରାଚୁର୍ୟ୍ୟ ଭରା ପର୍ୟ୍ୟଟନକୁ ସମଗ୍ର ପୃଥିବୀରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ କରୋନା ମହାମାରୀ ଭରପୁର ସୁଯୋଗ ସୃଷ୍ଟି କରିଥିବା ଉଲ୍ଲେଖ କରି, ଏହି ଅବସରକୁ ହାତଛଡା ନ କରିବାକୁ ପରାମର୍ଶ ଦେଇଥିଲେ । ସମଗ୍ର କାର୍ୟ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂହ ସୁଚାରୁ ରୂପେ ସଂଯୋଜନା କରିଥିଲେ । ଓସାର ଉପସଭାପତି ଅନିଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

୨୫ ଯାଏ ସମୁଦ୍ରକୁ ମନା

mahabharatanews

 ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି

mahabharatanews

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

mahabharatanews