ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ଆସିବ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ନେତୃତ୍ବ ସରକାରଙ୍କ ବଜେଟ୍ । ମୋହନ ଚରଣ ମାଝୀଙ୍କ ସରକାରରେ ଏହା ପ୍ରଥମ ବଜେଟ୍ ହେବ। ସରକାର ପରିବର୍ତ୍ତନ ହୋଇଥିବାରୁ ରାଜ୍ୟବାସୀ ଏକ ଭଲ ବଜେଟ୍ ଆଶା କରୁଥିବା ବେଳେ ବୁଧବାର ଅପରାହ୍ଣରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କାଠାରୁ ୧୨.୪ % ପ୍ରତିଶତ କମ୍ । ତେବେ ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହେଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆର୍ଥିକ ବର୍ଷ ୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଥିବାବେଳେ, ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡିଶା ୨୦୨୨-୨୩ରେ ୧୧ ତମ ସ୍ଥାନରେ ରହିଛି। ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି।
ଏହି ରିପୋର୍ଟରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଓଡିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଗତ ଥର ଅର୍ଥାତ ଆର୍ଥିକ ବର୍ଷ ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା। ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।
ଓଡ଼ିଶାରେ ଆୟୁଷ ହାର ପୂର୍ବ ତୁଳନାରେ ୧୦ ବର୍ଷ ବଢ଼ିଛି । ଆୟୁଷ ବୃଦ୍ଧି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଛି ତଥ୍ୟ । ୨୦୦୦-୨୦୦୪ରେ ଓଡ଼ିଶାରେ ହାରାହାରି ଆୟୁଷ ଥିଲା ୬୦.୪ ବର୍ଷ । ତେବେ ୨୦୧୬-୨୦୨୦ରେ ହାରାହାରି ଆୟୁଷ ବୃଦ୍ଧି ପାଇ ୭୦.୩ ବର୍ଷ ରହିଛି । ୧୭ଟି ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଆୟୁଷହାର ଓଡ଼ିଶାଠାରୁ ୭ଟି ରାଜ୍ୟରେ ଅଧିକ ଅଟେ ।
ସେହିପରି ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ । ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ସାଂଘାତିକ ତଥ୍ୟ ମିଳିଛି । ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ୨୨.୨ ପ୍ରତିଶତକୁ ହ୍ରାସ ପାଇଛି । ଓଡ଼ିଶା ଏବେ ବି ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାରରେ ୨୭.୨୯ ପ୍ରତିଶତ ସହିତ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିଛି ।