ଓଇଆରସିକୁ ଖୁବ୍ଶୀଘ୍ର ମିଳିବ ନୂଆ ଅଧ୍ୟକ୍ଷ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ’ ୨୬, ୨୦୨୬ରୁ ଖାଲି ପଡ଼ିଥିବା ଓଇଆରସି ଅଧ୍ୟକ୍ଷ ପଦବୀ ସମ୍ପର୍କରେ ଚୟନ କମିଟିକୁ ଅବଗତ କରାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ, ଚୟନ କମିଟି ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣଙ୍କ ଏକ ପ୍ୟାନେଲ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ସୁପାରିସ କରିବ। ଏହାପରେ ସରକାର ସେହି ପ୍ୟାନେଲରୁ ଜଣେ ପ୍ରାର୍ଥୀଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବେ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବ୍ୟକ୍ତିଗତ କାରଣ ଦର୍ଶାଇ ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେ ୨୦୨୫ ଏପ୍ରିଲ ୮ରୁ ୨୦୨୬ ମେ’ ୨୫ ପର୍ଯ୍ୟନ୍ତ ଓଇଆରସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଶକ୍ତି ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ବୋଲି ପ୍ରଶାସନିକ ମହଳରେ ବିବେଚନା କରାଯାଉଛି।
