ପାକିସ୍ତାନର ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡ଼ିବା ଦ୍ୱାରା ମହିଳା ଏବଂ ଶିଶୁଙ୍କ ସମେତ ଅତିକମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବସ୍ଟି ବାଲୁଚିସ୍ତାନର କ୍ୱେଟାରୁ ବାହାରି ପେଶାୱାର ଅଭିମୁଖେ ଯାଉଥିଲା। ତେବେ ଖୈବର ପାଖ୍ତୁନଖ୍ୱା ପ୍ରାନ୍ତର ଡେରା ଇସମାଇଲ୍ ଖାନ୍ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ପହଞ୍ଚିବା ପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଦୁର୍ଗମ ପାହାଡ଼ିଆ ବୁଲାଣି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବସ୍ର ବ୍ରେକ୍ କାମ କରିବା ବନ୍ଦ କରିଦେଇଥିଲା। ବ୍ରେକ୍ ଫେଲ୍ ହେବା ଯୋଗୁଁ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ୍ଟି ସିଧା ରାସ୍ତାରୁ ଖସି ଗଭୀର ଖାଇ ଭିତରକୁ ଗଡ଼ିଯାଇଥିଲା।

ଉଦ୍ଧାରକାରୀ ଦଳ ‘ରେସକ୍ୟୁ 1122’ ଅନୁଯାୟୀ, ଦୁର୍ଘଟଣା ସମୟରେ ବସ୍ରେ ମୋଟ ୪୮ ଜଣ ଯାତ୍ରୀ ସ୍ୱାର ହୋଇଥିଲେ। ସ୍ଥାନୀୟ ପ୍ରଶାସନ ଓ ମିଳିତ ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଯୋଗାଇବାରେ ଲାଗିଛନ୍ତି। ମୃତ ଏବଂ ଆହତମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ସେପଟେ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
