କଳାହାଣ୍ଡି / ଅମୀୟ ଶତପଥି: ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା ସହ ମଦ ବ୍ୟବସାୟ ତଥା ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଜଡିତ ଥିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଧୀନ ପଣ୍ଡକା ମାଳ ଗାଁର ହେମନ୍ତ ସାହୁକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ହେମନ୍ତ ବେଆଇନ ଭାବେ ଅସ୍ତ୍ର ଶସ୍ତ୍ର ରଖିୁଥିବା ତଥା ମଦ ବ୍ୟବସାୟ ସହିତ ବହୁ ଅସାମାଜିକ କାର୍ୟ୍ୟରେ ଜଡିତ ରହି ଆସୁଥିବା ପୋଲିସ ପାଖରେ ଆଗରୁ ଖବର ଥିଲା । ତେବେ ସ୍ଥାନୀୟ ମୋହନଗିରି ଗ୍ରାମ ଏବଂ ରାମପୁର ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ହେମନ୍ତ ପୋଲିସ ଉପର କୁ ଅତର୍କିତ ବୋମା ଫିଙ୍ଗିବା ସହ ଲୋକଙ୍କୁ ଭୟଭୀତ କରୁଥିବା ଘଟଣାରେ ଆଜି ଦୁର୍ଦ୍ଧାନ୍ତ ଅପରାଧୀ ହେମନ୍ତକୁ ଗିରଫ କରିଛି । ମରାମପୁର ପୋଲିସ ଅଭିଯୁକ୍ତ ପାଖରୁ ବେଆଇନ ଦେଶୀ ପିସ୍ତଲ, ଦେଶୀ ବୋମା, ଭୁଜାଲି , ମାରଣାସ୍ତ୍ର ଓ ଚୋରା ମୋଟର ସାଇକେଲ ଜବତ କରିଛି ।
କେସିଙ୍ଗା ପୋଲିସ ଏସଡି ପିଓ,ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହେମନ୍ତଙ୍କୁ ମଦନପୁର ରାମପୁର ପୋଲିସ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ସମେତ କନ୍ଧମାଳ ଆଦି ଥାନାରେ ଦୁର୍ବୁତ୍ତ ନାମରେ ଅନେକ ଅପରାଧିକ ମାମଲା ରହିଥିବା କଳାହାଣ୍ଡି ଏସପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।
