ଓଡିଶା

ସରକାରକୁ ସୁହାଇବା କାର୍ଯ୍ୟରେ ଲିପ୍ତ ବିରୋଧୀ

ଭୁବନେଶ୍ୱର/ସୁର୍ଜିତ ଧଳ: ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ବିଜେଡି ଶାସନ ଗାଦିରେ ରହିଛି । ଦଳୀୟ ନେତା ମନ୍ତ୍ରୀ ବିଭିନ୍ନ ଦୁର୍ନୀତି, ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ ମଧ୍ୟ ଦଳକୁ ଶାସନ ଗାଦିରୁ ଉଠାଇବାକୁ ବିରୋଧୀ ଅସମର୍ଥ । ଏନେଇ ବିରୋଧୀଙ୍କ ଅପାରଗତା ଏକ ମାତ୍ର ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାରେ ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ବିଫଳ ହୋଇଛନ୍ତି । ଅନାବଶ୍ୟକ ଘଟଣାରେ ମିଡିଆକୁ ବାଇଟ ଦେବା, ରାଜରାସ୍ତାକୁ ଓହ୍ଲାଇବା ଦୁଇ ଦଳର କାର୍ଯ୍ୟଧାରା ପାଲଟିଯାଇଥିବା ଚର୍ଚ୍ଚା ହେଉଛି । ସରକାରକୁ ତାରି ଜାଲରେ ଛନ୍ଦିବାର କ୍ଷମତା ଏମାନଙ୍କର ନାହିଁ । ସରକାରକୁ ସୁହାଇବା ପରି କାର୍ଯ୍ୟରେ ବିରୋଧୀ ଲିପ୍ତ ଥିବା କୁହାଯାଉଛି ।  

ସମ୍ପ୍ରତି ରାଜ୍ୟରେ ଦୁଇଟି ପ୍ରମୁଖ ଘଟଣା ଚର୍ଚ୍ଚାରେ ରହିଛି । ଗୋଟିଏ ପରୀ ହତ୍ୟା ଓ ଅନ୍ୟଟି ପ୍ରଦୀପ ପାଣିଗ୍ରାହୀଙ୍କ ଜାଲିଆତି । ଉଭୟ ଦଳ କେବଳ ପରୀ ଘଟଣାକୁ ନେଇ ସରକାରକୁ ଘେରୁଥିବା ବେଳେ କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଘଟଣାରେ ନିଷ୍କ୍ରିୟତା ଦେଖିବାକୁ ମିଳୁଛି । ଏହି ଘଟଣାରେ ସରକାରୀ କଳର ସମ୍ପୃକ୍ତିକୁ ଉଦ୍ଜୀବିତ କରି ଲୋକଙ୍କୁ ଦୀର୍ଘ ବର୍ଷ ଧରି ସରକାରୀ କଳରେ ଚାଲିଥିବା ଠକାମି, ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରାଯାଉନାହିଁ । ଆଜି ସରକାର ଯେଉଁ ଜନବିରୋଧୀ ଶବ୍ଦର ସୃଷ୍ଟି କରିଛନ୍ତି, ସେଥିରେ ସରକାର ନିଜେ ହିଁ ସାମିଲ, ତାହାକୁ ଉଠାଇବାକୁ ପଛ ଘୁଞ୍ଚା ଦେଉଛନ୍ତି ବିରୋଧୀ, ଯାହା ଶାସକ ଦଳକୁ ଦୁର୍ନୀତି କରିବାର ବାଟ କଢାଉଛି ବୋଲି ଚର୍ଚ୍ଚା ହେଉଛି ।

ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଜନବିରୋଧୀର ଯେଉଁ ସଂଜ୍ଞା ଶାସକ ଦଳ ନିରୁପଣ କରିଛି, ତାହାକୁ ନେଇ ବିରୋଧୀ ସରକାରକୁ ଘେରିବାର ଆବଶ୍ୟକତା ରହିଛି । ପ୍ରଦୀପ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାମରେ ଠକିବା, କରୋନା କାଳରେ ଲୋକଙ୍କ ସେବା ନ କରି ଅୟସ କରିଥିବା ସରକାରୀ ଦଳ ଅଭିଯୋଗ କରିଛି । ତେବେ ଏହି ୨୨ ବର୍ଷର ଶାସନ କାଳରେ ସରକାର କେତେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ତାର ଉତ୍ତର ବିରୋଧୀ କାହିଁ ମାଗୁନାହିଁ । କେତେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ରାଜ୍ୟ ନିଯୁକ୍ତି ଆୟୋଗ ନିକଟରେ ନାମ ପଞ୍ଜିକରଣ କରିଛନ୍ତି ଓ କେତେ ନିଯୁକ୍ତି ପାଇଛନ୍ତି ତାର ହିସାବ କାହିଁ ମଗାଯାଉନାହିଁ । ବାଲି ମାଫିଆ, ମଦ ବ୍ୟବସାୟୀଙ୍କ ଠାରୁ ପ୍ରଦୀପ ଅର୍ଥ ଆଦାୟ କରିଥିବା ଦଳ ଅଭିଯୋଗ ଆଣୁଛି । କିନ୍ତୁ ପୂର୍ବରୁ ଯେତେବେଳେ ଏହି ପ୍ରସଙ୍ଗ ଉଠିଥିଲା ମୁଖ୍ୟମନ୍ତ୍ରୀ କାହିଁ କୌଣସି ପଦକ୍ଷେପ ନ ନେଇ ତାଙ୍କୁ ଦଳରେ ରଖିଥିଲେ ଏହାର ଉତ୍ତର ପାଇଁ କାହିଁ ଦୁଇ ଦଳ ନ ପଚାରି ଚୁପ ରହିଛନ୍ତି । କାହିଁ ବ୍ୟକ୍ତିଗତ ଆକ୍ରୋଶରୁ ଊଦ୍ଧ୍ୱର୍କୁ ଉଠି ଉଭୟ କଂଗ୍ରେସ ଓ ବିଜେପି ସାମୂହିକ ଓ ଜନ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁନାହାନ୍ତି?

ଏହା ବ୍ୟତୀତ, କରୋନା କାଳରେ ପ୍ରଦୀପ ଜନ ସେବା କରି ନ ଥିବା ନେଇ ପ୍ରଶ୍ନ ଉଠାଉଛି ବିଜେଡି । କିନ୍ତୁ କରୋନା କାଳରେ ବିଧାୟକ ଓ ମନ୍ତ୍ରୀଙ୍କୁ କରୋନା ପରିଚାଳନାରୁ ଦୂରେଇ ରଖି ଅମଲାତନ୍ତ୍ରକୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ପରି ଗୃହବନ୍ଦୀ ବା ଏକାନ୍ତ ବାସରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କରୋନା ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ କ୍ରୟ, ପରିଚାଳନା, ହସ୍ପିଟାଲ ସ୍ଥାପନ, ଚିକିତ୍ସା ପ୍ରକ୍ରିୟା ସବୁ କିଛିଠାରୁ ନେତା ଓ ମନ୍ତ୍ରୀଙ୍କୁ ଦୂରେଇ ରଖିଥିଲେ ସରକାର । କୋଭିଡ ପରିଚାଳନା ଥିଲା ମୋ ସରକାର ଅଧୀନରେ, ଯାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ତୃତୀୟ ମହଲାର ଅଧିନାୟକ ପାଣ୍ଡିଆନଙ୍କ ଏକଚାଟିଆ ବ୍ୟାପାର ଥିଲା । କୋଭିଡ ପରିଚାଳନାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟ ଦେଖା ନ ଥିଲା । ତେଣୁ ବିଧାୟକ ପ୍ରଦୀପ ଲୋକଙ୍କ ସହ ନ ରହିବାକୁ ନେଇ ବର୍ତ୍ତମାନ ସରକାରୀ ଦଳର ବାଡେଇ ଛାଟି ହେବା ନିତାନ୍ତ ମୂଲ୍ୟହୀନ ଓ ଆକ୍ରୋଶପୂର୍ଣ୍ଣ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦେଖା ନ ଥିବା ବେଳେ ତାଙ୍କୁ କାହିଁ ଜନବିରୋଧୀ ଘୋଷଣା କରାଯାଉ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରୁ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୂର୍ବରୁ ମଧ୍ୟ ପ୍ରଦୀପଙ୍କ ନାମରେ ଅନେକ ଅଭିଯୋଗ ଆସିଥିବା ଦଳର ପୂର୍ବତନ ବରିଷ୍ଠ ନେତା ଦାମ ରାଉତ ଏକ ଗଣମାଧ୍ୟମକୁ କହିଛନ୍ତି । ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇ ରଖିଥିଲେ । ଆଜି ଅମଲାତନ୍ତ୍ର ସହ ତାଙ୍କ ମତଭେଦ ପରେ ଦୁର୍ନୀତିର ପେଡି ଖୋଲୁଛି ସରକାର ବୋଲି ଚର୍ଚ୍ଚା ହେଉଛି ।

ଏପର୍ଯ୍ୟନ୍ତ ଯେଉଁ ନେତା ମନ୍ତ୍ରୀଙ୍କ ନାମରେ ବିଭିନ୍ନ ଅଭିଯୋଗ ରହିଛି ସେସବୁର ତଦନ୍ତ କରି ସ୍ୱଚ୍ଛତାର ପ୍ରମାଣ ଦେବାକୁ ସରକାର ଉପରେ ଚାପ ସୃଷ୍ଟି କରିବାର ବେଳ ଆସିଥିବା କୁହାଯାଉଛି । ଏହା ବ୍ୟତୀତ ପାଣ୍ଡିଆନଙ୍କ ସହ ଡାଲି ଦୁର୍ନୀତି ଘଟଣା ଯୋଡିବା ପରେ ତାଙ୍କୁ ଗିରଫ କରାଯାଇଥିବା ଶୁଣିବାକୁ ମିଳୁଛି । ତେଣୁ ସରକାର ମୁଖ୍ୟତଃ ଡାଲି ଦୁର୍ନୀତିର ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବା ସହ ନିଜ ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଉଭୟ ବିରୋଧୀ ଦାବି କରିବା ସହ ଲୋକଙ୍କ ପ୍ରତି ନିଜ ଉତ୍ତରଦାୟିତ୍ୱ ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ।

SR

Related posts

୧୦ତମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ

mahabharatanews

ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

mahabharatanews

ହାଇୱା-ବୁଲେଟ ମୁହାଁମୁହିଁ ଧକ୍କା, ୨ ଗୁରୁତର

mahabharatanews

Leave a Comment