ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଜୟନ୍ତୀ ରେ ପ୍ରତିବର୍ଷ ଡିସେମ୍ବର ମାସରେ ପାରାଦୀପର ଅଟଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ‘ପାରାଦୀପ ମହୋତ୍ସବ’ ଆୟୋଜିତ ହୋଇ ଆସୁଛି । ଚଳିତ ବର୍ଷ ବାଜପାୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଅବସରରେ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ପରିସର ପଡିଆରେ ‘ପାରାଦୀପ ମହୋତ୍ସବ-୨୦୨୫ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଲୋକପ୍ରିୟ ମେଳାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍, ଜିଲ୍ଲା ବିଜେପି ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ପାରାଦୀପ ମହୋତ୍ସବ ବାଜପାୟୀଙ୍କ ସ୍ମୃତି ବହନ କରୁଛି ବୋଲି କହିଥିଲେ । ଆୟୋଜିତ ଏହି ଉଦଘାଟନୀ ସମାରୋହରେ ସ୍ବର୍ଗତ ବାଜପେୟୀଙ୍କ ଦେଶପ୍ରତି ଅବଦାନ ଓ ତାଙ୍କର ରାଜନୈତିକ ଆଦର୍ଶ ଓ ବହୁ ମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହିତ ୧୯୯୯ ମସିହା ମହାବାତ୍ୟା, ପାରାଦୀପ ତୈଳ ବିଶୋଧନାଗାର ଗାର ପ୍ରତିଷ୍ଠା ଦିଗରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଥିଲେ ।
