ନୂଆଦିଲ୍ଲୀ : ୨୦୦୮ରେ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ କଂଗ୍ରେସ ଓ ଚୀନର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ତଦନନ୍ତ କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଓକିଲ ଶଶାଙ୍କ ଶେଖର ଝା ଓ ଗୋଆ କ୍ରୋନିକ୍ଲର ସଂପାଦକ ସାଭିଓ ରୋଡ୍ରିଗସ ଏହି ପିଟିସନ ଦାଏର କରାଯାଇଛି । ଚୁକ୍ତି ସଂପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କିମ୍ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯିବାକୁ ଆବେଦନକାରୀ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ବେଆଇନ କାର୍ୟ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏହି ତଦନ୍ତ କରାଯାଉ ଆବେଦକ ଅନୁରୋଧ କରିଛନ୍ତି ।
ଦେଶର ସୁରକ୍ଷା ସର୍ବୋପରି ହୋଇଥିବାବେଳେ କଂଗ୍ରେସ ଦଳ ଭାରତ ପ୍ରତି ଶତ୍ରୁ ମନୋଭାବ ରଖୁଛି । କଂଗ୍ରେସ ଚୀନର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ସହ ବୁଝାମଣା କରିବା ଆଶ୍ଚର୍ୟ୍ୟଜନକ । ଉଚ୍ଚସ୍ତରୀୟ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ ଏହି ଏମଓୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ କେଉଁ ପ୍ରକାରର ସୂଚନା ଆଦାନ ପ୍ରଦାନ କରାଯାଉଛି ତାହା ଦେଶବାସୀ ଜାଣିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । କଂଗ୍ରେସ ଓ ଚୀନ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଅଗଷ୍ଟ ୭, ୨୦୦୮ରେ ଏହି ଏମଓୟୁ ହୋଇଥିଲା ।