(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ଆଦିବାସୀ ଏକତା ବିଛିନ୍ନାଞ୍ଚଳ ଉନ୍ନୟନ ସମିତି ତରଫରୁ ଏହି ପୋଷ୍ଟର ଲଗାଯାଇଛି । ଚିତ୍ରକୋଣ୍ଡା ବ୍ଲକର ମାଡକାପଦର, ସ୍ପିଲବେ, ଜାନବାଇ, ନାକାମାମୁଡି, ଚିତ୍ରକୋଣ୍ଡା, ମୁଦୁଲିପଡା ଅଞ୍ଚଳରେ ଏହି ପୋଷ୍ଟର ସବୁ ଲଗାଯାଇଛି । “ଆମେମାନେ ବିକାଶ ଚାହୁଁ, ବିନାଶ ନୁହେଁ” ବୋଲି ଏଥିରେ ଉଲ୍ଲେଖ ରହିଛି । ଗତ ଫେବୃଆରୀ ମାସରେ ବିଛିନ୍ନାଞ୍ଚଳ ଅଞ୍ଚଳର ୩ ଜଣ ଗ୍ରାମବାସୀଙ୍କୁ ପୋଲିସ ସୂଚନାଦାତା କହି ମାଓବାଦୀମାନେ ହତ୍ୟା କରିଥିଲେ । ଯାହାକୁ ବିରୋଧ କରି ଏହି ପୋଷ୍ଟର ମରାଯାଇଛି । ଜିଲ୍ଲାରେ ମହାମାରୀ କରୋନା ବ୍ୟାପିଥିବା ବେଳେ ରାଜ୍ୟ ସରକାର ତିନି ମାସର ଡାଲି, ଚାଉଳ ଦେଇଛନ୍ତି । ଏଣୁ ମିଲିସିଆ ଭାଇମାନଙ୍କୁ ଅନୁରୋଧ ମାଓବାଦୀଙ୍କ କଥାରେ ଆମ ଜାତି ଓ ମାଟି ପ୍ରତି ବିପଦ ସୃଷ୍ଟି କରନ୍ତୁ ନାହିଁ ବୋଲି ଆଦିବାସୀ ଏକତା ବିଛିନ୍ନାଞ୍ଚଳ ଉନ୍ନୟନ ସମିତି ତରଫରୁ ଏହି ମାଓବାଦୀ ବିରୋଧୀ ପୋଷ୍ଟରରେ ଦର୍ଶାଯାଇଛି ।
previous post
