(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଦୁର୍ଗମ ଉପାନ୍ତ ଅଞ୍ଚଳରେ ଏବେବି ଅପହଞ୍ଚ ସ୍ୱାସ୍ଥ୍ୟ ସେବା । ଜିଲା ସ୍ୱାସ୍ଥ୍ୟ ବିଭାଗ ତଥା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ବହୁ ଯୋଜନା ଚାଲି ଆସୁଥିଲେ ମଧ୍ୟ ଏହି ଦୁର୍ଗମ ଇଲାକାର ଲୋକଙ୍କ ପାଖରେ ପହଞ୍ଚି ପାରୁନି ଉପଯୁକ୍ତ ସଚେତନତାର ବାର୍ତ୍ତା ଓ ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶ । ତେବେ ଏକ ହୃଦୟ ବିଦାରକ ଅଭାବନିୟ ଘଟଣା ଘଟିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗମ ପାହାଡି ଉପାନ୍ତ ଇଲାକା ଭାବେ ପରିଚିତ କପାତୁଟି ପଞ୍ଚାୟତ ଅନ୍ତର୍ଭୁକ୍ତ ତିଆଲୁମା ଗାଁ ରେ । ଏହି ଗାଁର ମାରଗେଲ ଆମୟାଙ୍କ ପତ୍ନୀ ମାରଗେଲ ଲଛମି ଗର୍ଭବତୀ ଥିଲେ । ତାଙ୍କର ଗର୍ଭ ଜନନୀ ଯନ୍ତ୍ରଣା ଆରମ୍ଭ ହେବାରୁ ଉକ୍ତ ଅଞ୍ଚଳକୁ ରାସ୍ତା ଘାଟ ମଧ୍ୟ ନଥିଲା । କେବଳ ଛୋଟ ଛୋଟ ଝରଣା ସହିତ ଦୁର୍ଗମ ପାହାଡି ପାଦ ଚଲା ରାସ୍ତା । ଯେଉଁଠିକୁ ଗାଡି ଡାକିଆଣି ମେଡିକାଲ କୁ ଆଣିବା ସମ୍ଭବ ନଥିଲା । ତେଣେ ଲୋକ ମାନେ ମଧ୍ୟ ଓଡ଼ିଆ କଥା ବୁଝନ୍ତି ନାହିଁ , ଦୋରା ତେଲୁଗୁ ଭାଷା କଥାବାର୍ତ୍ତା କରିଥାନ୍ତି । ବଡ କଷ୍ଟରେ ଗ୍ରାମର ଲୋକ ମୋବାଇଲ ଟାୱାରକୁ ଆସି ଆମ୍ବୁଲାନ୍ସକୁ ଫୋନ ଲଗାଇ ଡାକିଥିଲେ ମଧ୍ୟ ରାସ୍ତା ନଥିବାରୁ ଉକ୍ତ ସ୍ଥାନକୁ ଆମ୍ବୁଲାନ୍ସ ଯାଇ ନପାରି କପାତୁଟିରେ ଜଗି ରହିଥିଲା । ଅଧିକରୁ ଅଧିକ ଗର୍ଭ ଯନ୍ତ୍ରଣା ବଢ଼ିବାରେ ଲାଗିଥିବାରୁ ପରିବାର ଲୋକେ ଓ ପଡୋଶୀ ନିରୁପାୟ ହୋଇ ଏହି ପରିସ୍ଥିତି ରେ ତିଆଲୁମାମୁଡି ରୁ ବେଡ଼ସିଟ ରେ ଭାର କରି ତିନୋଟି ଗ୍ରାମ ପେଡାଲାଙ୍କା, ମାରିଗୁଡା ଓ ଗମେଣ୍ଟଗୁଡା ଗ୍ରାମ ଦେଇ ୪ କିଲୋମିଟର ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି କପାତୁଟି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପୁଲୁର ପେଟାଲ ମେଡିକାଲକୁ ଯାଇଥିଲେ ଗର୍ଭବତୀ ମହିଳା ଗୁରୁତର ଥିବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ସେଠି ପିଲାଟିକୁ ପ୍ରଶବ କରାଯାଇଥିଲା । ମାଆଟି ବଞ୍ଚି ଯାଇଥିବାବେଳେ ପିଲାଟି ଦୁନିଆ ଦେଖିବା ଆଗରୁ ମରିଯାଇଥିଲା । ଏଭଳି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ ଅଭାବରୁ ବହୁ ବାର ଦୁର୍ଗମ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣା ।
previous post
