ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ଶ୍ରୀକ୍ଷେତ୍ର ସଂପୂର୍ଣ୍ଣ ସିସିଟିଭି ବଳୟରେ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ନିୟୋଜିତ ୭୦ ପ୍ଲାଟୁନ ଫୋର୍ସ । ଶ୍ରୀମନ୍ଦିର ବାହାରେ, ଭିତରେ ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ୭୦ ପ୍ଲାଟୁନ ଫୋର୍ସ, ୩୩ ଡ଼ିଏସପି ଏବଂ ୬୨ ଜଣ ଇନ୍ସପେକ୍ଟର । ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମାର୍କେଟ ଛକଠାରୁ ନୋ ଭେଇକିଲ ଜୋନ ହେବ। ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ପୁରୀ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ରାଜ୍ୟ ସରକାର ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ତହସିଲଦାର ଓ ଅତିରିକ୍ତ ତହସିଲଦାର ଅଛନ୍ତି । ବେଆଇନ ଜନସମାଗମ, ମଦ୍ୟପାନ, ବାଣ ଫୁଟାଇବା ଏବଂ ଜୋରରେ ମ୍ୟୁଜିକ୍ ବଜାଇବା ଉପରେ ରୋକ ଲଗାଇବା ସହ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
