(ପୁରୀ) : ହୋଇପାରିଲାଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଅଣଦେଖା କରିଛନ୍ତି ଦତ୍ତମହାପାତ୍ର । ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବା ନେଇ କହିଛି ମନ୍ଦିର ପ୍ରଶାସନ । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସୃଙ୍ଗାର ନୀତି ହୋଇନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାନୁଯାୟୀ , ଗତକାଲି ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ସେବକଙ୍କୁ ନିର୍ଦ୍ଦେଶ ଦେଇଥିଲା । ଆଜି ବନକଲାଗି ନୀତି ପାଇଁ ସବୁ ଦ୍ରବ୍ୟ ପ୍ରସ୍ତୁତ ରଖିଛି ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୁକ୍ତି ରଖି କହିଛନ୍ତି, ଆଜି ବନକଲାଗି କରାନଗଲେ ଧାରା ୩୩ ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ । ଗତ ୧୯ ତାରିଖରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହାର ପୂର୍ବଦିନ ନିର୍ଦ୍ଦେଶ ଦେଇଥିଲା । ହେଲେ ଏହାକୁ ବି ବେଖାତିର କରିଥିଲା ଦତ୍ତମହାପାତ୍ର ନିଯୋଗ ।
