ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି କେ ପାଣ୍ଡିଆନ ଆଜି ପୁରୀ ଗସ୍ତ କରି ସ୍ୱର୍ଗଦ୍ୱାର, ଗୋଶାଳା ଓ ଭିକାରୀଙ୍କ ଥଇଥାନ କେନ୍ଦ୍ରର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫନି ବାତ୍ୟାରେ ବିଶ୍ୱ ପ୍ରସିଦ୍ଧ ପୁରୀ ସହର କ୍ଷତିଗ୍ରସ୍ତ ହୋଇଥିବାରୁ ପୁରୀକୁ ବିଶ୍ୱ ଐତିହ୍ୟର ମାନ୍ୟତା ପାଇଁ ନବୀନ ପଟ୍ଟନାୟକ ଦୃଢ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ପାଇଁ ୫ଟି ବିଭାଗ ପୁରୀକୁ ବିଶ୍ୱ ପର୍ଯ୍ୟଟନରେ ଉପଯୁକ୍ତ ସ୍ଥାନ ଦେବାକୁ ତତ୍ପରତା ଦେଖାଇଛି ।
ସଚିବଙ୍କ ଏହି ଗସ୍ତ କାଳରେ ସେ ବାଙ୍କି ମୁହାଁଣ, ପୁରୀ ବ୍ଲୁ ଫ୍ଲାଗ ବିଜ, ନିଳାଦ୍ରୀ ବିଚ ବୁଲି ଦେଖିଛନ୍ତି । ଏହି ସମୀକ୍ଷା ସମୀକ୍ଷାରେ ପୁରୀ ଜିଲ୍ଲାପାଳ, ପୁରୀ ମୁନିସିପାଲ କମିଶନର, କଟକ କମିଶନର ଉପସ୍ଥିତ ଥିଲେ । ବିଏମସି ଓ ସିଏମସି ବୁଲା ଗୋରୁଙ୍କୁ ସେମାନଙ୍କ ଅଞ୍ଚଳର ଗୋଶାଳାକୁ ନେବାର କାର୍ଯ୍ୟକ୍ରମ ରହିଛି । ସେମାନେ ମଧ୍ୟ ସେମାନଙ୍କ ଅଞ୍ଚଳର ଭିକାରୀମାନଙ୍କ ଥଇଥାନ କାର୍ଯ୍ୟ ହାତକୁ ନେବେ ।
ଏହି କ୍ରମରେ ସ୍ୱର୍ଗଦ୍ୱାରର ନବୀକରଣକୁ ପ୍ରାଥମିକତା ଦିଆଯାଇଛି । ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ସ୍ୱର୍ଗଦ୍ୱାର କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି । ସ୍ୱର୍ଗଦ୍ୱାରରେ ସେଠାକୁ ଶେଷକୃତ୍ୟ ପାଇଁ ଆସୁଥିବା ମୃତକଙ୍କ ବନ୍ଧୁ ପରିଜନଙ୍କ ପ୍ରତୀକ୍ଷା ପାଇଁ ଏକ ବିଶ୍ରାମସ୍ଥଳୀର ବ୍ୟବସ୍ଥା କରାଯାଉଛି । ବଡଦାଣ୍ଡକୁ ପରିସ୍କାର ପରିଚ୍ଛନ ରଖିବାକୁ ବଡଦାଣ୍ଡରେ ବୁଲୁଥିବା ବୁଲା ଗୋରୁଙ୍କ ପାଇଁ ଗୋଶାଳାର ବ୍ୟବସ୍ଥା କରାଯାଇଛି । ଏହି ଗୋଶାଳାରେ ୭୦୦ ପର୍ଯ୍ୟନ୍ତ ଗୋରୁଗାଈଙ୍କୁ ସ୍ଥାନାନ୍ତର କରାଯିବା ସହ ଆସନ୍ତା ମାସ ସୁଦ୍ଧା ଆଉ ୪୦୦ଙ୍କୁ ସ୍ଥାନାନ୍ତର କରାଯିବ । ଆସନ୍ତା ୫ ବର୍ଷ ପାଇଁ ଗୋରୁଗାଈଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ବାବଦକୁ ସମସ୍ତ ଖର୍ଚ୍ଚ ସିଏମ ରିଲିଫ ଫଣ୍ଡ ସହ ସଂଯୋଗ କରାଯାଇଛି ।
ସେହିପରି ବଡଦାଣ୍ଡରେ ବୁଲୁଥିବା ଭିକାରୀଙ୍କ ପାଇଁ ଥଇଥାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ବଡଦାଣ୍ଡରୁ ୫୦୦ ଭିକାରୀଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ସଂସ୍ଥାରେ ଥଇଥାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
previous post
next post