(ଭୁବନେଶ୍ୱର) : ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍’ ଦୁର୍ବଳ ହୋଇଛି। ମାତ୍ର ଲ୍ୟାଣ୍ଡଫଲ୍ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ପ୍ରଭାବ ପକାଇଛି। କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଛି।
ସୂଚନାନୁଯାୟୀ , ଦକ୍ଷିଣ ଅଭ୍ୟନ୍ତରୀଣ, ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହଲୁକା ବର୍ଷା ଲାଗିରହିଛି। ଗୁରୁବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ ହୋଇଛି।
