ଭୁବନେଶ୍ୱର: ସମ୍ପ୍ରତି ଓଡିଶା ରାଜନୀତିରେ ଜଣକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ପ୍ରାୟତଃ ସମସ୍ତ ଗଣମାଧ୍ୟମରେ ସେ ପାଲଟିଛନ୍ତି ମୁଖ୍ୟ ପ୍ରସଙ୍ଗ । ଅନେକ ତାଙ୍କୁ ସମାଲୋଚନା କରୁଛନ୍ତି ଓ ଅନେକ ତାଙ୍କ ପ୍ରଶଂସାଗାନ । ଏସବୁର କାରଣ ବର୍ତ୍ତମାନର ଶାସକ ଦଳରେ ସେ ପାଲଟିଛନ୍ତି କ୍ଷମତା କେନ୍ଦ୍ର । ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ୱସ୍ତ, ନିକଟତର, ଯାଜପୁର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶ । ସ୍ୱଚ୍ଛ, ନିର୍ମଳ, ନିସ୍ୱାର୍ଥପର, ବିଶ୍ୱସ୍ତତା, କାର୍ଯ୍ୟଦକ୍ଷତାକୁ ପ୍ରାଧାନ୍ୟ ଦେଉଥିବା ଦଳର ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଏସବୁ ବବିଙ୍କ ନିକଟରେ ପାଇ ତାଙ୍କୁ ଦଳର ସମସ୍ତ ଭାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରେ ଯଦି କେହି ସ୍ୱୟଂ ନିଷ୍ପତ୍ତି ନେବାର କ୍ଷମତା ରଖିଛନ୍ତି ସେ ହେଉଛନ୍ତି ବବି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ।
ରାଜନୀତି ବିଶାରଦଙ୍କ ମୁତାବକ, ଦୀର୍ଘ ୨୦ ବର୍ଷର ବିଜେଡି ଶାସନ ମଧ୍ୟରେ ରାଜ୍ୟ ଦେଖିଛି ଦଳରେ ଅନେକ ପ୍ରଭାବଶାଳୀ ନେତାଙ୍କୁ । ସେମାନଙ୍କ ହାତରେ ଥିଲା ବହୁ କ୍ଷମତା । ସେମାନଙ୍କ ଚାରି ପାଖରେ ଘୁରୁଥିଲେ ଦଳୀୟ ନେତା, ମନ୍ତ୍ରୀ ଓ କର୍ମକର୍ତ୍ତା । ସେମାନଙ୍କୁ ସେମାନଙ୍କ ସମୟର କ୍ଷମତା କେନ୍ଦ୍ର କହିଲେ ମଧ୍ୟ ଭୁଲ ହେବ ନାହିଁ । ସେମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଘଡେଇ ଥିଲେ ସବୁଠାରୁ ଆଗରେ ଏକକ ଦୀର୍ଘକାଳୀନ କ୍ଷମତା କେନ୍ଦ୍ର । ଘଡେଇଙ୍କୁ ସେତେବେଳେ ବିଜେଡିର ସର୍ବେସର୍ବା କୁହାଯାଉଥିଲା । ସମୟ କ୍ରମେ କ୍ଷମତାରେ ପରିବର୍ତ୍ତନ ଲୋକ ଦେଖିଲେ । ଘଡେଇଙ୍କ ପରେ ପରେ କଳ୍ପତରୁ ଦାସ, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା ମଧ୍ୟ ଦଳରେ କ୍ଷମତା କେନ୍ଦ୍ର ପାଲିଟିଥିଲେ । କିନ୍ତୁ ବାହ୍ୟ କାର୍ଯ୍ୟର ତଦାରଖ କରୁଥିଲେ ମଧ୍ୟ ଦଳୀୟ କାର୍ଯ୍ୟ ବା ନିଷ୍ପତ୍ତି ନେବାର କ୍ଷମତା ନ ଥିଲା । ସର୍ବୋପରେ ସୁପ୍ରିମୋଙ୍କ ନିକଟରେ ଥିଲା ନିଷ୍ପତ୍ତି ନେବାର କ୍ଷମତା । ତେଣୁ ଯେଉଁଠାରେ କେହି ନିଜ ଅଧିକାରର ଅପପ୍ରୟୋଗ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ସୁପ୍ରିମୋ ଶକ୍ତିହୀନ କରି ଦେଉଥିଲେ ।
ଏବେ କିନ୍ତୁ ପରିସ୍ଥିତି ଭିନ୍ନ ଦେଖିବାକୁ ମିଳୁଥିବା ବିଶାରଦ କୁହନ୍ତି । ବର୍ତ୍ତମାନ ଏହି ଅଧିକାର ମଧ୍ୟ ବହୁଭାବେ ବବିଙ୍କୁ ସୁପ୍ରିମୋ ପ୍ରଦାନ କରିଛନ୍ତି । ଯାହାର ଅନେକ ଉଦାହରଣ ଗତ ପାଳିରେ ଦେଖିବାକୁ ମିଳିଛି । ତେଣୁ ଯେଉଁ ସମୟରେ ଦଳ କୌଣସି ବିରାଟ ସମସ୍ୟାର ସମ୍ମୁଖୀନ ହୋଇଛି, ସୁପ୍ରିମୋ ବବିଙ୍କୁ ତାର ଦାୟିତ୍ୱ ଦେଇଛନ୍ତି । ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନ ଥିଲା । ଆଉ ବବି ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ଦଳ ପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ପ୍ରୟୋଗ କରି ସମସ୍ୟାର ସମାଧାନ କରିଛନ୍ତି । ତେଣୁ ରାଜନୀତି ବିଶାରଦ ବବିଙ୍କୁ ବିଜେଡିର ସଙ୍କଟମୋଚକ କୁହନ୍ତି । ଅନ୍ୟମାନେ ନିଜ କ୍ଷମତାର ଅପପ୍ରୟୋଗ କରି ନିଜ ସ୍ୱାର୍ଥ ସାଧନରେ ରହିଥିବା ବେଳେ ବବି ଜନସେବାରେ ନିଜ କ୍ଷମତାର ବ୍ୟବହାର କରିଛନ୍ତି । ବବି ଦଳକୁ ଏକଜୁଟ କରିଛନ୍ତି । ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ନିୟମିତ କାର୍ଯ୍ୟକରୁଛନ୍ତି, ଯାହା ତାଙ୍କୁ ଲୋକପ୍ରିୟ କରାଇପାରିଛି । ଏହି ଲୋକପ୍ରିୟତା ଅନ୍ୟ କ୍ଷମତାକେନ୍ଦ୍ରଙ୍କୁ ମିଳିନଥିଲା ।
ଏହି ଲୋକପ୍ରୟତାକୁ ନେଇ ଅନେକ ଦଳୀୟ ନେତା ତାଙ୍କ ପ୍ରତି ଇର୍ଷାଭାବ ପୋଷଣ କରୁଛନ୍ତି । ପ୍ରତ୍ୟକ୍ଷରେ ସମାଲୋଚନା କରି ସୁପ୍ରିମୋଙ୍କ ଦୃଷ୍ଟି କଟୁ ହେବାର ଭୟ ରହିଛି ତେଣୁ ପରୋକ୍ଷରେ ଅନ୍ୟମାନଙ୍କ ଦ୍ୱାରା ବବିଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ ସେମାନେ ଭୁଲିଯାଉଛନ୍ତି, କ୍ଷମତା, ପ୍ରତିପତି, ଅର୍ଥ ସମୟକ୍ରମେ ଅପସରି ଯିବ । ହେଲେ ମଣିଷର ସାହାଯ୍ୟ, ସହାନୁଭୂତି, ନିସ୍ୱାର୍ଥପର ସେବା ଓ ମଣିଷ ପଣିଆ କେବେ ବ୍ୟର୍ଥ ହେବ ନାହିଁ । ହୁଏତ ବବି ସେହି କଥାଟିକୁ ବୁଝିଛନ୍ତି, ତେଣୁ ସେ ନିଜ ଅଞ୍ଚଳରୁ ଆରମ୍ଭ କରି ଦଳୀୟ କ୍ଷେତ୍ର, ସର୍ବୋପରି ରାଜ୍ୟର ବିକାଶ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି ଓ ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି । ଆଉ ତାଙ୍କୁ ସମାଲୋଚନାର ପାତ୍ର କରୁଥିବା ପ୍ରଚ୍ଛଦ ପଟର ନାୟକମାନେ ଆତ୍ମସନ୍ତୁଷ୍ଟ ଲାଭ କରୁଛନ୍ତି । କିନ୍ତୁ ସେମାନେ ଜାଣି ନାହାନ୍ତି ସୁନା ନିଆଁରେ ଯେତିକି ପୋଡେ ସେତିକି ଅଧିକ ଚମକ ସୃଷ୍ଟି କରେ ।
previous post