ଓଡିଶା

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର/ଶିଳାସ୍ମିତା ରାୟ: କମିଶନରେଟ ପୁଲିସର ଦାଦାବଟିକୁ ନା ଅଭିଯାନରେ ଧରାପଡିଛନ୍ତି ।  ଗତାକଲି  ୬ ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ। ଦାଦାବଟି ଆଦାୟକୁ ନେଇ ପୁଲିସ ଏହି ସାମ୍ବାଦିକମାନଙ୍କୁ ଗିରଫ କରିଥିବା ଜଣାପଡିଛି । ଏକ କମ୍ପାନୀରୁ ବଟି ଆଦାୟ କରିବା ଅଭିଯୋଗ ପାଇବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ଭୁବନେଶ୍ୱରରେ ଚାଲିଥିବା କିଛି ୱେବ ଚ୍ୟାନେଲର ସାମ୍ବାଦିକ । ବୁମ ଓ ପ୍ରେସ କାଡ ବଳରେ ଏମାନେ ଆଦାୟ କରୁଥିଲେ ବଟି । ବଟି ନ ଦେଲେ କମ୍ପାନୀ ବିରୋଧରେ ଖବର ପ୍ରସାରଣ ପାଇଁ ଦେଉଥିଲେ ଧମକ ବୋଲି ଅଭିଯୋଗ ହୋଇଛି । କିଛି ଅପରାଧିକ ମାନସିକତାର ବ୍ୟକ୍ତିବିଶେଷ ଗଣମାଧ୍ୟମକୁ ଅର୍ଥ ଉପାର୍ଜନର ମାଧ୍ୟମ କରି ସମସ୍ତ ଗଣମାଧ୍ୟମକୁ ନିନ୍ଦିତ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ କରୋନା କାଳରେ ବେପାର ବଟା ବନ୍ଦ ହୋଇଯିବା ପରେ ବହୁ ୱେବ ପୋର୍ଟାଲ ଖୋଲିଥିବା ଦୃଷ୍ଟିଗୋଚର ହୋଇଛି ।

ଭୁବନେଶ୍ୱରରେ ୫-୬ ବର୍ଷ ହେବ ୱେବ ପୋର୍ଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ମଧ୍ୟରେ ଶହ ଶହ ସଂଖ୍ୟାରେ ୱେବ ପୋର୍ଟାଲ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଆରମ୍ଭ ବେଳକୁ ଭୁବନେଶ୍ୱରରେ ୧୫ରୁ ୨୦ଟି ୱେବ ପୋର୍ଟାଲ କାମ କରୁଥିଲା । କିନ୍ତୁ ମାର୍ଚ୍ଚରେ କରୋନା ସଂକ୍ରମଣ ସହ ୱେବ ପୋର୍ଟାଲ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ରାତାରାତି ଛତୁ ଫୁଟିବା ପରି ଖୋଲିଛି ୱେବ ପୋର୍ଟାଲ । ବିଭିନ୍ନ ନାମରେ ପୋର୍ଟାଲ ଖୋଲି, ବୁମ ଧରି, ଆଇ କାର୍ଡ ପକାଇ ଲୋକଙ୍କୁ ଧମକ ଚମକ ଦେବା ସହ ଖବରକୁ ଅତିରଞ୍ଜିତ କରି ପରିବେଷଣ କରି ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି ଏହି ସବୁ ପୋର୍ଟାଲ । ଏହି ସବୁ ପୋର୍ଟାଲ ମଧ୍ୟରୁ କିଛି କୌଣସି ବିଲ୍ଡରଙ୍କର ହୋଇଥିବା ବେଳେ କେଉଁଟା କୌଣସି ରାଜନୈତିକ ନେତାଙ୍କ ସହଯୋଗରେ ଚାଲିଛି

କରୋନାକାଳରେ ଜନ୍ମ ନେଇଥିବା ଏହି ସବୁ ଛତୁଫୁଟା ୱେବ ପୋର୍ଟାଲରେ ଖଡାଖିଆ ସାମ୍ବାଦିକମାନେ କାର୍ଯ୍ୟ କରୁଛନ୍ତି । ସାମ୍ବାଦିକତା ସହ ଏମାନଙ୍କର ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନାହିଁ । କିନ୍ତୁ ଖବର ପରିବେଷଣ କରୁଛନ୍ତି । ସାଧାରଣ ଖବରକୁ ବଢେଇ ଚଢେଇ, ଅତିରଞ୍ଜିତ କରି କରୁଛନ୍ତି ପରିବେଷଣ । ଲୋକଙ୍କ ମାନସିକତା ଓ ଘଟଣାର ଜନମାନସରେ ଥିବା ପ୍ରଭାବକୁ ନେଇ ଶୀର୍ଷକ ଦେଇ ଲୋକଙ୍କୁ ଆକୃଷ୍ଟ କରିବାକୁ କରୁଛନ୍ତି ପ୍ରୟାସ । କିନ୍ତୁ ଖବର ଭିତରକୁ ଗଲେ ଘଟଣାକ୍ରମର ନାହିଁ ବିନ୍ଦୁ ବିଷର୍ଗ ଓ ଶୀର୍ଷକ ସହ ଖବରର କୌଣସି ତାଳମେଳ ରହୁ ନଥିବା ଦେଖିବାକୁ ମିଳୁଛି ।

ଏହା ବ୍ୟତୀତ ଏହି ସବୁ ଗଣମାଧ୍ୟମର ବାସ୍ତବ ଉଦ୍ଦେଶ୍ୟ ଲୋକଙ୍କୁ ଘଟଣା ସହ ପରିଚିତ କରିବା ବା କୌଣସି ବିଷୟରେ ଲୋକଙ୍କୁ ଅବଗତ କରାଇବା ନୁହେଁ । ଏହି ଗଣମାଧ୍ୟମର ଉଦ୍ଦେଶ୍ୟ ଗଣତନ୍ତ୍ରର  ଚତୁର୍ଥ ସ୍ତମ୍ବକୁ ଆୟୁଧ କରି ସାମଜରେ ନିଜର ପତିଆର ମେଲାଇବା, ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ଯେତେ ଅଧିକ ସମ୍ଭବ ଘଟଣାଚକ୍ରକୁ ନେଇ ଅର୍ଥ ସାଉଁଟିବା । ଏମାନଙ୍କର ସାମ୍ବାଦିକତା ସହ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ । ଏମାନେ ବୁମ ଓ ପ୍ରେସ କାର୍ଡକୁ ଅର୍ଥ ଉପାର୍ଜନର ଏକ ମାଧ୍ୟମ ମନେ କରନ୍ତି । ଏହି ଜାଲି ସାମ୍ବାଦିକ ଓ ଏମାନଙ୍କ ସଂସ୍ଥାଗୁଡିକର ଲକ୍ଷ୍ୟ ଦଲାଲଗିରି । ଏମାନେ ବିଭିନ୍ନ ଦଳର ନେତାଙ୍କ ସପକ୍ଷରେ କୌଣସି ଖବର ପ୍ରସ୍ତୁତ କରି ନେତାଙ୍କୁ ଖୁସି କରାଇବାକୁ ଚେଷ୍ଟା କରି ବିଭିନ୍ନ ଉପାୟରେ ସେମାନଙ୍କଠାରୁ ଅର୍ଥ ହଡପ କରିଥାନ୍ତି । ଛୋଟ ଏକ ଘଟଣାକୁ ନେଇ କ୍ୟାମେରା ଆଗରେ ଚିତ୍କାର କରି ନିଜ ବଳିଷ୍ଠତାକୁ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ପ୍ରେସ କାର୍ଡ ଦେଖାଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନ, ପୁଲିସକୁ ନାଲି ଆଖି ଦେଖାଇବା, ନେତାଙ୍କ ଚାମଚାଗିରି କରି ସଚୋଟ ଓ ସତ୍ୟନିଷ୍ଠ ପୁଲିସ କର୍ମଚାରୀଙ୍କୁ ହଇରାଣ ହରକତ କରିବା ପରି ବହୁ ନଜିର ମଧ୍ୟ ଦେଖିବାକୁ ମିଳଛି ।

ଏପରି ଗଣମାଧ୍ୟମଙ୍କ ପାଇଁ ଗଣମାଧ୍ୟମ ତାର ଗୁରୁତ୍ୱ ହରାଇ ବସୁଛି । ଏହି ଖଡାଖିଆ ସାମ୍ବାଦିକଙ୍କ ପାଇଁ ନିନ୍ଦିତ ହେଉଛି ଓ ଲୋକଙ୍କ ଆସ୍ଥା ହରାଉଛନ୍ତି ଗଣମାଧ୍ୟମ ଓ ସେମାନଙ୍କ ପ୍ରତିନିଧି । ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲାଞ୍ଚୁଆ ସାମ୍ବାଦିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

Related posts

ଜନଶୁଣାଣୀକୁ ବିରୋଧ, କୋରୋନାକୁ ନିମନ୍ତ୍ରଣ କରିପାରେ

mahabharatanews

ଦଳିତ ପରିବାରକୁ ନଳକୂପ ପାଣିନେବା ମନା

mahabharatanews

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

mahabharatanews