ଭୁବନେଶ୍ୱର: ଘରୋଇ ସ୍କୁଲର ଦାଦାଗିରି । ଶିକ୍ଷାକୁ କେମିତି ବ୍ୟବସାୟରେ ପରିଣତ କରାଯାଇଛି ତାହାର ଚିତ୍ର । ବିଦ୍ୟାମନ୍ଦିରରେ କେମିତି ଫି ନଦେଲେ ଅଟକାଇ ରହୁଛନ୍ତି ଛାତ୍ରଛାତୀ ମାନଙ୍କୁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ । ଘାଟିକିଆ ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଦିନ ଫି’ ଆଦାୟକୁ ନେଇ ହୋଇଥିଲା କାଣ୍ଡ ,ତାହା ଯେତିକି ଲଜ୍ଜାଜନକ ସେତିକି ମଧ୍ୟ ସାଂଘାତିକ ।
ସୂଚନା ଅନୁସାରେ ବକେୟା ଫି’ ଆଦାୟ ପାଇଁ ସ୍କୁଲ କର୍ତ୍ତୁପକ୍ଷ କିଛି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ଅଲଗା ବନ୍ଦ କରି ରଖିଥିଲେ ।ଦୀର୍ଘ ୫ ଘଣ୍ଟା ଧରି ଏହି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରିରେ ବନ୍ଦ ରଖାଯାଇଥିଲା । ଅଟକ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାବକୁ ଫି’ ଦେବାକୁ କହିବା ପାଇଁ ବାଧ୍ୟ କରାଯାଇଥିଲା । ଏଭଳି ଅଭିଯୋଗ ଆଣିଛନ୍ତି ଅଟକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ । ଅଭିଭାବକ କହିବା ଅନୁଯାୟୀ ,କୋଭିଡ୍ ପରେ ହଠାତ ସ୍କୁଲ ଫି’ ବଢାଇ ଦିଆଯାଇଥିଲା ।
ଏନେଇ ଅଭିଭାବକ ଆପତ୍ତି କରିବା ପରେ ସ୍କୁଲ ତରଫରୁ କୌଣସି ଉତ୍ତର ଦିଆଯାଇନଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ବିଦ୍ୟାର୍ଥୀଙ୍କ ଅଭିଭାବକ ସ୍କୁଲ ଆଗରେ ଜମା ହୋଇଥିଲେ । ସେମାନେ ସ୍କୁଲ ସାମ୍ନାରେ ଧାରଣାରେ ବସିଥିଲେ । ଛାତ୍ରଛାତ୍ରୀଙ୍କୁ ଅଟକ ରଖା ଯାଇଥିବା ଖବର ପାଇବା ପରେ ଭରତପୁର ଥାନା ପୋଲିସ ସ୍କୁଲରେ ପହଂଚିଥିଲା । ସ୍କୁଲ ଆଡମିନଙ୍କୁ ଥାନାରେ ପଚରା ଉଚରା କରାଯାଉଥିବା ଜଣା ପଡ଼ିଛି ।