ଓଡିଶା

ସମସ୍ୟା ଘେରରେ ବ୍ରିଟିଶ ଅମଳର “ସିଂଲା ଥାନା

(ଜଳେଶ୍ୱର /ଅଜିତ ସାହୁ): ଓଡ଼ିଶା ଓ ପଶ୍ଚିମ ବଙ୍ଗର ସୀମାନ୍ତ ଜିଲା ହେଉଛି ବାଲେଶ୍ୱର ଜିଲ୍ଲା। ଜିଲ୍ଲାର ଭୋଗରାଇ, ଜଳେଶ୍ବର, ବାଲିଆପାଳ, ଓ ବସ୍ତା ବ୍ଲକ ହେଉଛି ପଶ୍ଚିମବଙ୍ଗର ଅତି ନିକଟ ବର୍ତ୍ତୀ ଅଞ୍ଚଳ। ଏହି ଅଞ୍ଚଳ ଭିତରେ ରହିଛି ମୋଟ ଆଠ ଗୋଟି ଥାନା ଓ ଆଠଟି ଫାଣ୍ଡି । ଭୋଗରାଇ ବ୍ଲକରେ ଭୋଗରାଇ ଥାନା, ତାଳସାରି ମେରାଇନ , କମର୍ଦା ଥାନା ଓ ଚନ୍ଦନେଶ୍ଵର ଏବଂ ଲକ୍ଷ୍ମୀପାଟଣା ଫାଣ୍ଡି । ଜଳେଶ୍ଵର ବ୍ଲକରେ ଜଳେଶ୍ଵର, ରାଇବଣିଆ ଥାନା ସହିତ କୁଶଗଡ଼ ଓ ନାମ୍ପୋ ଫାଣ୍ଡି । ବାଲିଆପାଳ ବ୍ଲକରେ ବାଲିଆପାଳ ଥାନା ସହିତ ଜାମକୁଣ୍ଡା ଫାଣ୍ଡି । ବସ୍ତା ବ୍ଲକରେ ବସ୍ତା ଓ ସିଂଲା ଥାନା ସହିତ ବଢାଣ , ସାର୍ଥା , ଅମର୍ଦା ରୋଡ଼ ଫାଣ୍ଡି । ମାତ୍ର ଏସବୁ ଥାନା ଭିତରେ ପୁରାତନ ହେଉଛି ସିଂଲା ଥାନା । ବ୍ରିଟିସ ଅମଳରେ ଥାନା ନିର୍ମାଣ ହୋଇଥିଲା । ଏହି ଥାନା ଅଧୀନରେ ଜଳେଶ୍ଵର , ବସ୍ତା , ବାଲିଆପାଳ ଏବଂ ସଦର ବ୍ଲକର କୋଡିଏଟି ପଞ୍ଚାୟତ ଆସିଥାଏ । ଏହା ଛଡା ଜଳେଶ୍ଵର , ବସ୍ତା ଓ ସଦର ଭଳି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି କିଛି ଅଞ୍ଚଳ ଏହି ଥାନା ଇଲାକା ଭିତରେ ରହିଛି । ସୁବର୍ଣ୍ଣ ରେଖା ନଦୀର ଉତ୍ତର ପଟେ ଚୋରମରା ଏବଂ ହସକରା ନଦୀର ଦକ୍ଷିଣରେ ଥିବା କଷାଫଳ ଅଞ୍ଚଳ ଠାରୁ ଏହି ଥାନାର ଅଞ୍ଚଳ। ଚୋରମରା ଓ କସାଫଳ ଦୁଇଟି ଅଞ୍ଚଳକୁ ଯିବା ପାଇଁ ନଦୀ ବାଧକ ସାଜିଥାଏ। ତେଣୁ ଉକ୍ତ ଦୁଇଟି ଅଞ୍ଚଳ ଯିବା ପାଇଁ ଚାଳିଶ କିମି ବୁଲି ଯିବାକୁ ପଡି ଥାଏ, ଏବଂ ଯାହାକି ସମୟ ସାପେକ୍ଷ। ଏଥି ସହିତ ତିନୋଟି ନିର୍ବାଚନ ମଣ୍ଡଳୀ ଓ ତିନୋଟି ବ୍ଲକର ରାଜନୈତିକ ଓ ପ୍ରଶାସନିକ ଚାପ ଥିବାରୁ ଏହି ଥାନାର ନ୍ୟାୟିକ କର୍ଣ୍ଣଧାର ସଦା ଖଣ୍ଡା ଧାର ଉପରେ ଚାଲି ଥାଏ। ଏହି ଥାନା ଅଧୀନରେ ସାର୍ଥା ଓ ବଢାଣ ଦୁଇଟି ଫାଣ୍ଡି ରହିଥିଲେ ମଧ୍ୟ ବଢାଣ ଫାଣ୍ଡିଟି ୧୯୫୬ ମସିହାରୁ ବିପଦ ଶଙ୍କୁଳ ଭାବେ, ଅସ୍ଵାସ୍ଥ୍ୟକର, ଅସୁରକ୍ଷିତ ଭଙ୍ଗା ଭଡ଼ା ଘରେ ବିଷାକ୍ତ ସାପ, ମୂଷା ଓ ବିଛା ଆଦି ଭିତରେ ପୋଲିସ କର୍ମଚାରୀଙ୍କ ଦିନ ବିତିଥାଏ ।

ସେହିପରି ୧୯୧୩ ମସିହାରେ ବ୍ରିଟିସ ସରକାର ଅମଳରେ ସିଂଲା ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏହି ବିଶାଳ ଭୌଗଳିକ ସ୍ଥିତି ଥିବା ଥାନାକୁ ରାଜ୍ୟ ସରକାର କି ପୋଲିସ ବିଭାଗ ଗୁରୁତ୍ବ ଦେଉ ନାହାନ୍ତି। ଉକ୍ତ ଥାନାରେ ବର୍ଷକୁ ତିନି ଶହରୁ ଅଧିକ ମାମଲା ରୁଜୁ ହୋଇଥାଏ । ସେଥିମଧ୍ୟରୁ ଶତାଧିକ କେବଳ ନାବାଳିକା ଅପହରଣ ଓ ମହିଳା ସମ୍ବନ୍ଧୀୟ । ଜଣେ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହିତ ଦୁଇ ଜଣ ବୟସ୍କ ସବ ଇନ୍ସପେକ୍ଟର , ଜଣେ ଛୋଟା ହାବିଲଦାର ,ଦୁଇ ଜଣ କନେଷ୍ଟବଳ, ତିନିଜଣ ଓଏ ପିଏଫ କନେଷ୍ଟବଳ , ଦୁଇ ଜଣ ମହିଳା କନେଷ୍ଟବଳ ଏହି ଥାନାରେ କାର୍ଯ୍ୟରତ । ତେବେ ଦୁଇ ଜଣ ମହିଳା କନଷ୍ଟେବଳ ଭିତରୁ ଜଣେ ଜଏନ କରିବା ପରଠାରୁ ଛୁଟିରେ, ଥିବା ବେଳେ ଅନ୍ୟ ଜଣେ ରୋଗୀଣା । ଏପରି ଅବସ୍ଥାରେ ଭାରପ୍ରାପ୍ତ ଥାନା ଅଧିକାରୀ କେମିତି ଥାନାକୁ ଚଳାଇବେ ଓ ଲୋକଙ୍କୁ ନ୍ୟାୟ ଦେବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ । ଅନ୍ୟପଟେ ସାର୍ଥା ଓ ବଢାଣ ଫାଣ୍ଡିରେ ଥିବା ଦୁଇ ଏସଆଇ ନିଜ ଅଞ୍ଚଳର କାର୍ୟ୍ୟ ସୁଚାରୁ ରୂପେ ପାଳନ କରି ପାରୁ ନଥିବାରୁ ଥାନା ଉପରେ ଅଧିକ ଚାପ ପଡୁଛି । ଦୈନିକ ଚାଳିଶ ପଚାଶ କିମି ଦୂର ନଦୀ ସେ ପାରିରୁ ଲୋକେ ଆସି ରାତି ଅଧ ଯାଏ ଥାନାରେ ବସି ରହୁଥିବା ଦେଖିବାକୁ ମିଳୁଛି । ଏହା ଛଡା ଥାନାରେ ଏକ ଭଙ୍ଗା ଗାଡ଼ି ରହିଛି , ଯାହା ଅନେକ ସମୟରେ କାମରେ ଆସି ପାରେ ନାହିଁ । ଥାନାଟି ଏତେ ସମ୍ବେଦନଶୀଳ ଥିଲେ ବି ଉକ୍ତ ଥାନାରେ ହାଜତ ନାହିଁ। ବୋଧ ହୁଏ ସାରା ଭାରତରେ ଏହା ଏକମାତ୍ର ଥାନା ଯେଉଁଠି ହାଜତ ନାହିଁ । ତେଣୁ ଗିରଫ ଆସାମୀ ମାନଙ୍କୁ ରଖିବାରେ ଅନେକ ସମସ୍ୟା ମଧ୍ୟ ହୋଇଥାଏ। ତୁରନ୍ତ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉକ୍ତ ଥାନାର ଗୁରୁତ୍ବକୁ ଆଖି ଆଗରେ ରଖି ଜଣେ ମହିଳା ଅଫିସର, ସହିତ ଅଧିକ ଷ୍ଟାଫ ନିଯୁକ୍ତି, ହାଜତ ଓ ଭଲ ପୋଲିସ ଭେନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଊଛି ।

Related posts

ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ତାଲିମ ଶିବିର

mahabharatanews

ବନ୍ୟା ଜଳରେ ବୁଡିଲା ଶିବ ଲିଙ୍ଗ

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews