ରାୟପୁର: ଗୋଟିଏ ପଟେ ବିଶ୍ୱ ମହାମାରୀ କରୋନାର ମୃତ୍ୟୁସଂଖ୍ୟା ବୃଦ୍ଧି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରକୁ ଲକଡାଉନ ପାଇଁ ବାଧ୍ୟ କରିଥିବା ବେଳେ କିନ୍ତୁ ମାଓବାଦୀଙ୍କ ତାଣ୍ଡବ ଥମୁନାହିଁ । ମାଓବାଦୀଙ୍କ ଗୁଳିରେ ୧୭ ଜବାନ ସହିଦ ହୋଇଛନ୍ତି । ଗତକାଲି ଛତିଶଗଡର ସୁକମାରେ ଏହି ସମସ୍ତ ଜବାନ ନିଖୋଜ ଥିଲେ । କିନ୍ତୁ ଅ।।ଜି ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏପରି ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି । ଜଙ୍ଗଲ ଭିତରୁ ସର୍ଚ୍ଚ ଟିମ ସମସ୍ତ ଜବାନଙ୍କ ଶରୀର ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗତକାଲି ସୁକମା ନିକଟବର୍ତ୍ତୀ ଜଙ୍ଗଲରେ ବହୁ ସଂଖ୍ୟକ ମାଓ ଏକତ୍ର ହେବା ନେଇ ପୁଲିସକୁ ଖବର ମିଳିଥିଲା । ଏହା ପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ, ସିଆରପିଏଫର କମାଣ୍ଡୋ ବାଟାଲିଅନ ଫର ରିଜୋଲ୍ୟୁଟ ଆକ୍ସନ ପକ୍ଷରୁ ମିଳିତ ଟିମ ଗଠନ କରାଯାଇଥିଲା । ଏହି ଟିମ ସୁକମା ଅନ୍ତର୍ଗତ ମିନପା ଗ୍ରାମ ଜଙ୍ଗଲ ଦେଇ ଯାଉଥିବା ବେଳେ ୨୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଫଳରେ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଗୁଳି ମାଡ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟାର ଗୁଳି ବିନିମୟ ଚାଲିଥିଲା । ଏହି ଗୁଳି ବିନିମୟରେ ପ୍ରାୟ ୧୪ ଜଣ ଆହତ ହୋଇଥିବା ବେଳେ ୧୭ ଜଣ ଜବାନ ନିଖୋଜ ଜଣାପଡିଥିଲା । ସେମାନଙ୍କୁ ଖୋଜିପା ପାଇଁ ପୁଲିସ ଓ ସୁରକ୍ଷା ବଳ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ହୋଇଥିଲା । ଶେଷରେ ଆଜି ଜଙ୍ଗଲରୁ ସମସ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇ ସେଠାରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ଥିତି ଗୁରୁତର ରହିଛି ।
