ମହାରାଷ୍ଟ୍ର ବିଧାନ ପରିଷଦର ୧୧ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ୧୭ଟି ଖାଲି ଆସନ ମଧ୍ୟରୁ ୬ଟି ଆସନ ପୂର୍ବରୁ ନିର୍ବିରୋଧରେ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୧୧ଟି ଆସନରେ କଡ଼ା ଲଢ଼େଇ ହୋଇଥିଲା। ଫଳାଫଳ ପରେ ମହାୟୁତି ଓ ବିରୋଧୀ ଶିବିର ମଧ୍ୟରେ ରାଜନୈତିକ ତର୍କବିତର୍କ ଆରମ୍ଭ ହୋଇଯାଇଛି।
ଏହି ନିର୍ବାଚନର ସବୁଠାରୁ ବଡ଼ ଚର୍ଚ୍ଚିତ ଫଳାଫଳ ନାସିକ ଆସନରୁ ଆସିଛି। ବିଜେପି ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଗୋକୁଳ ଗୀତେ ମହାୟୁତି ସମର୍ଥିତ ପ୍ରାର୍ଥୀ ନରେନ୍ଦ୍ର ଦାରାଡେଙ୍କୁ ପରାସ୍ତ କରି ବଡ଼ ଅପସେଟ୍ ସୃଷ୍ଟି କରିଛନ୍ତି। ମୋଟ ୬୧୮ ଭୋଟ ମଧ୍ୟରୁ ୬୦୫ଟି ବୈଧ ଭୋଟ ଗଣାଯାଇଥିଲା। ବିଜୟ ପାଇଁ ୩୦୩ ଭୋଟ ଆବଶ୍ୟକ ଥିବା ବେଳେ ଗୋକୁଳ ଗୀତେ ପ୍ରଥମ ପର୍ଯ୍ୟାୟରେ ହିଁ ୩୫୭ ଭୋଟ ପାଇ ବିଜୟୀ ହୋଇଥିଲେ। ନରେନ୍ଦ୍ର ଦାରାଡେ ୨୪୮ ଭୋଟରେ ସୀମିତ ରହିଥିଲେ।

ଅନ୍ୟପଟେ ସାଙ୍ଗଲି-ସତାରା ଆସନରେ ବିଜେପି ପ୍ରାର୍ଥୀ ଧୈର୍ୟଶୀଳ କଦମ ଏନସିପି (ଶରଦ ପାୱାର ଗୋଷ୍ଠୀ) ପ୍ରାର୍ଥୀ ଅକ୍ଷୟସିଂହ ଜଗତାପଙ୍କୁ ୩୦୧ ଭୋଟରେ ପରାସ୍ତ କରିଥିଲେ। ଫଳାଫଳ ଘୋଷଣା ପରେ ବିଜେପି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିଲେ।
ଅମରାବତୀ ଆସନରେ ବିଜେପିର ପ୍ରବୀଣ ପୋଟେ-ପାଟିଲ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ୩୯୦ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ବହୁ ପଛରେ ରହିଥିଲେ। ଏହାକୁ ବିଦର୍ଭ ଅଞ୍ଚଳରେ ବିଜେପିର ସଂଗଠନାତ୍ମକ ଶକ୍ତିର ପ୍ରମାଣ ବୋଲି କୁହାଯାଉଛି।
ନାସିକର ଫଳାଫଳକୁ ମହାୟୁତି ଓ ସିନ୍ଦେ ଗୋଷ୍ଠୀ ପାଇଁ ବଡ଼ ଝଟକା ବୋଲି ଦେଖାଯାଉଥିବା ବେଳେ ଅନ୍ୟାନ୍ୟ ଆସନରେ ବିଜେପିର ସଫଳତା ଦଳକୁ ଆଶ୍ୱସ୍ତ କରିଛି। ଆଗାମୀ ଦିନରେ ଏହି ଫଳାଫଳ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।
