ଦିଲ୍ଲୀରେ ଅଗଷ୍ଟ ୧୭ ତାରିଖରେ ଶେଷ ହୋଇଥିବା ସ୍ପେସିଆଲ ଇଣ୍ଟେନସିଭ୍ ରିଭିଜନ୍ (ଏସଆଇଆର)ର ତୃତୀୟ ପର୍ଯ୍ୟାୟ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି। ତାଲିକା ପ୍ରକାଶ ପରେ ରାଜଧାନୀର ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ମୋଟ ୧ କୋଟି ୪୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ୯୭ ଲକ୍ଷ ୫୦ ହଜାର ଭୋଟରଙ୍କ ଫର୍ମ ଡିଜିଟାଇଜ୍ କରାଯାଇଛି। ଯାହା ମୋଟ ଭୋଟରଙ୍କ ପ୍ରାୟ ୬୭.୧୬ ପ୍ରତିଶତ। ତେବେ ତୁଘଲକାବାଦ ଏବଂ ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଡିଜିଟାଇଜ୍ ହୋଇଥିବା ଫର୍ମର ସଂଖ୍ୟା ସବୁଠାରୁ କମ୍ ରହିଛି।
ଅନ୍ୟପଟେ ଏସଆଇଆର ପରେ ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକାରୁ ପ୍ରାୟ ୪୭ ଲକ୍ଷ ୫୬ ହଜାର ଭୋଟରଙ୍କ ନାମ ବାଦ୍ ପଡ଼ିଛି। ଏହା ପରେ ନିଜ ନାମ ଭୋଟର ତାଲିକାରେ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ ଭୋଟରମାନଙ୍କୁ କୁହାଯାଇଛି।
ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ, ଦିଲ୍ଲୀର ଭୋଟରମାନେ ସରକାରୀ ୱେବସାଇଟ୍ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ। ଏଥିସହ ଭୋଟରମାନେ ନିଜ ପଞ୍ଜିକରଣ ସ୍ଥିତି ଯାଞ୍ଚ କରିବା ସହ ଅନ୍ୟାନ୍ୟ ନିର୍ବାଚନୀ ସେବା ପାଇଁ ଭୋଟର ସେବା ପୋର୍ଟାଲ୍, ଭୋଟର ହେଲ୍ପଲାଇନ୍ ଆପ୍ ଏବଂ ଇସିନେଟ୍ର ସହାୟତା ନେଇପାରିବେ।
ତେବେ ଡ୍ରାଫ୍ଟ ତାଲିକାରୁ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କ ପାଇଁ ନାମ ସଂଶୋଧନ କିମ୍ବା ପୁନଃ ଯୋଡ଼ିବାର ସୁଯୋଗ ରହିଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଭୋଟରମାନେ ନିଜ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଯୋଗ୍ୟ ଭୋଟରମାନେ ଫର୍ମ-୬ ପୂରଣ କରି ଭୋଟର ତାଲିକାରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମାଧ୍ୟମରେ କରାଯାଇପାରିବ।
ଭୋଟରମାନଙ୍କଠାରୁ ଦାବି ଓ ଆପତ୍ତି ଗ୍ରହଣ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ସେଗୁଡ଼ିକର ଯାଞ୍ଚ କରାଯିବ। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଦିଲ୍ଲୀର ଚୂଡ଼ାନ୍ତ ଭୋଟର ତାଲିକା ୪ ନଭେମ୍ବର ୨୦୨୬ରେ ପ୍ରକାଶ ପାଇବ।
