ଝରଣା ପାଲଟିଲା ବିଷ । ଝରଣା ପାଣି ଗାଧୋଇ ଆଖି ବୁଜିଲେ ଗୋଟିଏ ପରିବାରର ୪ ଜଣ ପିଲା। ମଧ୍ୟପ୍ରଦେଶର ଶିବପୁରୀରେ ଘଟିଛି ଏହି ଘଟଣା। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସେହିପରି ପରିବାରର ଅନ୍ୟ ସଦସ୍ୟମାନେ ଏବେ ହସ୍ପିଟାଲରେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ, ତନବୀର ଅହମଦଙ୍କ ପରିବାର ସ୍ଥାନୀୟ ଝରଣାରେ ଗାଧୋଇବାକୁ ଯାଇଥିଲେ। ପରିବାର ଓ ସମ୍ପର୍କୀୟଙ୍କୁ ମିଶାଇ ୧୬ ଜଣ ଝରଣାରେ ଗାଧୋଇ ଘରକୁ ଫେରିଥିଲେ। କିନ୍ତୁ ଧୀରେଧୀରେ ପରିବାରର ସଦସ୍ୟମାନେ ଅସୁସ୍ଥ ହେବାକୁ ଲାଗିଥିଲେ। ବିଶେଷ କରି ୪ ଜଣ ବାଳକଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା।
ଛୋଟ ପିଲାମାନେ ଜ୍ୱରରେ ପଡ଼ିବା ସହ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେମାନଙ୍କର ବାନ୍ତି ଓ ଝାଡ଼ା ମଧ୍ୟ ହୋଇଥିଲା। ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ସମସ୍ତଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ପ୍ରଥମେ ଘରର ୧୪ ବର୍ଷୀୟ ପୁଅ ଓ ପରେ ୧୯ ବର୍ଷୀୟ ଆୟାଜ ପ୍ରାଣ ହରାଇଥିଲେ। ଏପରି ଭାବେ ୪ ଜଣ ଯାକ ୧୦ ଦିନ ମଧ୍ୟରେ ଆଗପଛ ହୋଇ ଆଖି ବୁଝିଥିଲେ। ଗୋଟିଏ ଦିନ ମଧ୍ୟରେ ପରିବାରର ୪ ଜଣ ଅସୁସ୍ଥତା କାରଣରୁ ପ୍ରାଣ ହରାଇବା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚି ନମୁନା ସଂଗ୍ରହ କରିଛି। କେବଳ ପରିବାର ସଦସ୍ୟ ନୁହନ୍ତି, ବରଂ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
