ନେପାଳର ବନ୍ୟାର ବୀଭିଷିକା ମଧ୍ୟରେ ସାମନାକୁ ଆସିଛି ଆଶ୍ଚର୍ଯ୍ୟକର ଭଳି ଘଟଣା। ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ। ଜଳ ପ୍ରଳୟର ୯ ଦିନ ପରେ କାଦୁଅ ଓ ଆବର୍ଜନା ତଳୁ ଉଦ୍ଧାର ହୋଇଛନ୍ତି ୨ ଶ୍ରମିକ। ଏହି ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର ମହର୍ଜନ (୪୫) ଏବଂ ସଞ୍ଜୟ ଶାହା (୩୦)। ଫ୍ଲାସ ଫ୍ଲଡ ଓ ବନ୍ୟା ପରେ ତ୍ରିଶୁଳୀ ଅଞ୍ଚଳରେ ଥିବା ଟ୍ରିଶୁଳୀ-୩A ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ପୋତି ହୋଇଥିଲା । ଭିତରେ ଫସି ରହିଥିଲେ ଶ୍ରମିକ। ୯ ଦିନ ପର୍ଯ୍ୟନ୍ତ ପରିବାର ଲୋକଙ୍କ ମନରେ ଥିଲା ଆଶଙ୍କା ଥିଲା ସେମାନେ ଆଉ ବଞ୍ଚିଛନ୍ତି ତ । କିନ୍ତୁ ଉଦ୍ଧାରକାରୀଙ୍କ ଆଶା ମରିନଥିଲା।ଆଉ ଶେଷରେ ସେହି ଆଶା ହିଁ ଜିତିଲା ।
ଉଦ୍ଧାରକାରୀ ସେମାନଙ୍କୁ କାନ୍ଧରେ ଧରି ବାହାରକୁ ଆଣୁଥିବା ବେଳେ ଚାରିଆଡ଼ୁ ଶୁଭିଥିଲା ଖୁସିର ସ୍ବର। ଉଦ୍ଧାର ହୋଇଥିବା ଦୁଇ ଜଣ ହେଉଛନ୍ତି କବୀର ମହାର୍ଜନ ଓ ସଞ୍ଜୟ ଶାହ। ସଞ୍ଜୟ ଶାହଙ୍କ ବୟସ ୩୦ ବର୍ଷ। ସେ ନେପାଳ ଇଲେକ୍ଟ୍ରିସିଟି ଅଥରିଟିର ମେକାନିକାଲ୍ ଫୋରମ୍ୟାନ୍। ସେହିପରି ୪୫ ବର୍ଷୀୟ କବୀର ମହାର୍ଜନ ଟ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁପରଭାଇଜର। ସଞ୍ଜୟଙ୍କୁ ଉଦ୍ଧାର ପରେ କଥା କହିବା ସ୍ଥିତିରେ ନଥିବାରୁ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। କିନ୍ତୁ କବୀରଙ୍କୁ ବାହାରକୁ ଆଣିବା ବେଳେ ସେ ସମ୍ପୂର୍ଣ୍ଣ ଚେତାରେ ରହିଥିଲେ ।
