ଓଡିଶା

ସ୍କୁଲରୁ ପଞ୍ଚାୟତ ପର୍ଯ୍ୟନ୍ତ ଚାଲିବ ସଚେତନତା ଅଭିଯାନ…

ରାଜ୍ୟକୁ ନିଶାମୁକ୍ତ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନିଶାଦ୍ରବ୍ୟର ବ୍ୟବହାର ହ୍ରାସ, ସଚେତନତା ବୃଦ୍ଧି, ଚିକିତ୍ସା, ପୁନର୍ବାସ ଓ ସମାଜରେ ପୁନଃ ଅନ୍ତର୍ଭୁକ୍ତିକୁ ଲକ୍ଷ୍ୟ କରି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କାର ସଂଶୋଧିତ ରାଜ୍ୟ କାର୍ଯ୍ୟଯୋଜନା (State Action Plan) ପ୍ରସ୍ତୁତ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ ନ୍ୟାସନାଲ ଆକ୍ସନ ପ୍ଲାନ୍ ଫର୍ ଡ୍ରଗ୍ ଡିମାଣ୍ଡ ରିଡକ୍ସନ୍ (NAPDDR) ଅଧୀନରେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି ।

ସଚେତନତା ଓ ପ୍ରତିଷେଧମୂଳକ କାର୍ଯ୍ୟକ୍ରମ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାର ପ୍ରସ୍ତାବ ରହିଛି । ଯୋଜନା ଅନୁସାରେ ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶାବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ‘ଗୁଡ ଚଏସ କ୍ଲବ’ ବା ଆଣ୍ଟି-ଡ୍ରଗ କ୍ଲବ ଗଠନ, ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାର ବ୍ୟବସ୍ଥା କରାଯିବ । ଏହା ସହ ୩୦ଟି ଜିଲ୍ଲାରେ ସଚେତନତା ରାଲି, ମାରାଥନ, ୱାକାଥନ ଓ ସାଇକେଲ ରାଲି ଆୟୋଜନ ସହ ବିଶ୍ୱବିଦ୍ୟାଳୟ ଏବଂ ମେଡିକାଲ କଲେଜଗୁଡ଼ିକରେ ଯୁବ ସମ୍ପୃକ୍ତି କାର୍ଯ୍ୟକ୍ରମ ମଧ୍ୟ ଚାଲିବ ।

ସମୁଦାୟ ସ୍ତରରେ ନିଶା ନିରାକରଣକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଆୟୋଜନ କରାଯିବ ।ଏହା ବ୍ୟତୀତ ୩୦୦ଟି ଗ୍ରାମ ପଞ୍ଚାୟତରେ ସଚେତନତା ଅଭିଯାନ ଏବଂ ପ୍ରତି ଜିଲ୍ଲାରେ ୫୦ ଜଣ ଲେଖାଏଁ ‘ନଶା ମୁକ୍ତ ମିତ୍ର’ଙ୍କୁ ନେଇ ମୋଟ ୧,୫୦୦ ସ୍ୱେଚ୍ଛାସେବୀଙ୍କ ମୋବିଲାଇଜେସନ୍ କାର୍ଯ୍ୟକ୍ରମ କରାଯିବ । ଏହି ଉପାଦାନ ପାଇଁ ୭୬.୪୦ ଲକ୍ଷ ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି । ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପୋଷ୍ଟର, ପ୍ରଚାର ପୁସ୍ତିକା, କାନ୍ଥ ଚିତ୍ର, ଅଡିଓ-ଭିଜୁଆଲ ଫିଲ୍ମ, ରେଡିଓ ବାର୍ତ୍ତା ଓ ସୋସିଆଲ ମିଡିଆ ଅଭିଯାନ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ରାଜ୍ୟ ସେଲ ପରିଚାଳନା, ଜିଲ୍ଲାସ୍ତରୀୟ ମନିଟରିଂ, ତ୍ରୈମାସିକ ସମୀକ୍ଷା ବୈଠକ ଏବଂ ତୃତୀୟ ପକ୍ଷ ମୂଲ୍ୟାଙ୍କନ ପାଇଁ ୮୪.୨୦ ଲକ୍ଷ ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି ।

କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟଯୋଜନାକୁ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରାଯିବ । ଏଥିସହ ପୂର୍ବରୁ ମଞ୍ଜୁର ହୋଇଥିବା ୧ କୋଟି ଟଙ୍କାର ଆବଣ୍ଟନରୁ ୯୦.୦୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଦିବସ – ୨୦୨୬ ପାଳନ ପାଇଁ ରାଜ୍ୟର ୩୦ଟି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ବ୍ୟୟ କରାଯାଇଥିବା ଉଲ୍ଲେଖ ରହିଛି ।

Related posts

ରାଜ୍ୟର ସବୁଠୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ 

mahabharatanews

ମୁକ୍ତିଲାଭ କଲା କୋଶଲି ଚଳଚ୍ଚିତ୍ର ଝରାନ

mahabharatanews

ବସ୍ ଦୁର୍ଘଟଣା: ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

mahabharatanews