(ଉତ୍ତରପ୍ରଦେଶ) : ତାତିରୁ ମିଳୁନି ମୁକ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି ଉତ୍ତର ଭାରତର ଅନେକ ଅଂଶରେ ଗ୍ରୀଷ୍ମଲହରି ଜାରି ରହିଛି। ପୂର୍ବ ଉତ୍ତରପ୍ରଦେଶର ବଲିୟାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ବଲିୟାରେ ପୁଣି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ଗ୍ରୀଷ୍ମଲହରି ଜନିତ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ଗତକାଲି ବଲିୟା ଜିଲ୍ଲା ହସ୍ପିଟାଲରେ ୧୭୮ ଲୋକ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିଲା। ପ୍ରବଳ ଗରମ ଯୋଗୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାନୁଯାୟୀ , ଗ୍ରୀଷ୍ମଲହରି ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା କରାଯିବା ଉଚିତ। ବିଭିନ୍ନ ସ୍ଥାନରେ ତଥା ଦୋକାନ ବଜାର ଏବଂ ମୁଖ୍ୟ ରାସ୍ତାରେ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଅନାବଶ୍ୟକ ବିଦ୍ୟୁତ କାଟ ବନ୍ଦ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି ସେହି ଅଞ୍ଚଳରେ ପାଣି ଟାଙ୍କି ଦ୍ବାରା ପାଣି ଯୋଗାଣ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ସବୁଠି ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।
