(ଭୁବନେଶ୍ୱର): ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ର ରାଜ୍ୟ ସରକାରଙ୍କ ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀ ଡିସେମ୍ବର ୩୧ରେ କାର୍ଯ୍ୟରୁ ଅବସର ନେବେ । ସେହିଦିନ ସୁରେଶ ମହାପାତ୍ର ଏହି ପଦବୀର ଦାୟିତ୍ୱ ନେବେ । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅବସର ପରେ ସେ ଏହି ନୂଆ ଦାୟିତ୍ୱ ନେବେ । ଅନ୍ୟପଟେ ଅନ୍ୟତମ ବରିଷ୍ଠ ଆଇଏଏସ ଅଧିକାରୀ ପଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି ।
ତେବେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବର ଦାୟିତ୍ୱ ତୁଲାଉଥିବା ଅସିତ ତ୍ରିପାଠୀ ଅବସର ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟାପାର ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ସେହିପରି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି ।
ପୂର୍ବରୁ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ । ଚଳିତ ମାସ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ସେ ନେଇ ଚର୍ଚ୍ଚା ଚାଲିଥିଲା । ତେବେ ବରିଷ୍ଠ ଆଇଏସ ଭାବେ ସୁରେଶ ମହାପାତ୍ର ଏହି ଦୌଡରେ ଆଗରେ ଥିଲେ । ଦକ୍ଷ ଆଇଏଏସ ଭାବେ ତାଙ୍କର ଖ୍ୟାତି ରହିଛି । ରାଜ୍ୟ ସରକାରଙ୍କ ବହୁ ବିଭାଗରେ ସେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ସେହିପରି ଅନ୍ୟତମ ବରିଷ୍ଠ ଆଇଏସ ପ୍ରଦୀପ ଜେନା ସରକାରଙ୍କ ବହୁ ବିଭାଗରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିବାରୁ ତାଙ୍କୁ ରାଜ୍ୟ ସରକାର ଉନ୍ନୟନ କମିଶନ ଭାବେ ନିଯୁକ୍ତ କରିଛନ୍ତି । ସେ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇବେ ।