ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର ସ୍ବାଭିମାନ ଅଂଚଳବାସୀଙ୍କ ସହ କଥା ହୋଇଛନ୍ତି । ଭର୍ଚୁଆଲ୍ କାର୍ୟ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋବାଇଲ ଫୋନ୍ ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଅଞ୍ଚଳର ବିକାଶ ପାଇଁ ତାଙ୍କ ଦ୍ୱାରା ହାତକୁ ନିଆଯାଇଥିବା କାର୍ଯ୍ୟର ତାଲିକା ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାଭିମାନ ଅଞ୍ଚଳର ବିକାଶରେ ଗୁରୁପ୍ରିୟା ସେତୁ ମୁଖ୍ୟ ଭୂମିକା ତୁଲାଉ ଥିବାରୁ ସେତୁ ନିର୍ମାଣ ପାଇଁ ପୂର୍ବରୁ କରାଯାଇଥିବା ୧୦୦ କୋଟି ବ୍ୟୟ ବରାଦକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବିକା, ସ୍ବାସ୍ଥ୍ୟ ଉପରେ ସରକାର ଗୁରୁତ୍ବ ଦେଉଛି । ପିଇବା ପାଣି ଏବଂ ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯିବ । ୨୦ କୋଟି ବ୍ୟୟ ବରାଦରେ ମେଗା ପାଇପ୍ ପାଣି ବ୍ୟବସ୍ଥା କରାଯାଇଛି । ଏହାସହ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ୍ ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଫଳରେ ଅନଲାଇନ୍ରେ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀ ସୁବିଧାରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇବେ । ସେହିପରି ସେଠାରେ ଉତ୍ପାଦିତ ହଳଦୀର ଚାହିଦା ରହିଥିବାରୁ ସରକାର ହଳଦୀ ଚାଷକୁ ପ୍ରୋତ୍ସାହନା ଦେବା ସହ ହଳଦୀ ପ୍ରୋସେସିଂ ଓ ବ୍ରାଣ୍ଡିଂ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।
ଏହି ଅବସରରେ ଜନ୍ତାପାଇ ସ୍ଥିତ ବିଏସ୍ଏଫ୍ କ୍ୟାମ୍ପରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରିକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ଉପସ୍ଥିତ ରହିଥିଲେ ।
