ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ । ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ତାଙ୍କୁ ରାଜ୍ୟ ସରକାର ସାମିଲ କରାଇଛନ୍ତି । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବଜ୍ଞପ୍ତି ଜାରି କରାଯାଇଛି । ଯାହାକୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି । ତେବେ ଯାଜପୁର ଜିଲ୍ଲାର କେଲୁଅ ନଦୀରେ ୨୦୨୦ ମସିହାର ବହୁ ଚର୍ଚ୍ଚିତ ମାମୁ ଭଣଜା ଘାଇକୁ ନେଇ ବିବାଦୀୟ ଘେରକୁ ଆସିଥିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ସୂଚନା ମୁତାବକ, ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ପ୍ରମିଳା ମଲ୍ଲିକ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ରାଜସ୍ୱ ମନ୍ତ୍ରୀ ହେବାପରେ ତାଙ୍କ ସ୍ଥାନରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଏହି ଉପଦେଷ୍ଟା କମିଟିର ସଦସ୍ୟ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି ।
ସେପଟେ ଶ୍ରୀ ବଳବନ୍ତରାୟଙ୍କ ନିଯୁକ୍ତ ପରେ ବିରୋଧିଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ସୂଚନାକର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି, ମୁଖ୍ୟମନ୍ତ୍ରୀସ୍ୱଚ୍ଛ ଓ ୫ଟି ଶାସନର ପ୍ରଚାର କରୁଛନ୍ତି , କିନ୍ତୁ ଏ ସରକାର ଯିଏ ଯେତେ ଦୁର୍ନୀତିଗ୍ରସ୍ତ ତାଙ୍କୁ ସେତେ ବଡ ପଦବୀ ଓ ଗୁରୁତ୍ୱ ମିଳୁଛି । ମାମୁ ଭଣଜା ଘାଇକୁ ନେଇ ବେହୁରା କହିଛନ୍ତି, ଘାଇ ହେବା ପରେ ପରେ ତତକାଳୀନ ମୁଖ୍ୟ ସଚିବ ଓ ଯାଜପୁର ଜିଲ୍ଲାପାଳ ଯେଉଁ ୨ ଜଣ ଗିରଫ ହୋଇଛନ୍ତି, କିନ୍ତୁ ସେମାନେ କିଏ ଜଣାପଡିନାହାନ୍ତି । ଏପରିକି ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସମେତ ତାଙ୍କ ମାମୁ ତଥା ଜେଇ ନରନେ୍ ଜେନା ଓ ମୋଟ ୬ ଜଣଙ୍କୁ ଏହି ମାମଲାରେ ଲୋକାୟୁକ୍ତ ନୋଟିସ୍ ମଧ୍ୟ ଜାରି କରିଥିଲେ । ଶ୍ରୀ ବେହୁରାଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତ ଏହି ଘାଇ ଭଙ୍ଗାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଭିଜିଲାନ୍ସ ରିପୋର୍ଟକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଲୋକାୟୁକ୍ତ କ୍ଲିନଚିଟ ଦେଇଥିବା ଜଣାପଡ଼ିଛି।