ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ । ଖାସକରି ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି ଅନୁଯାୟୀ ରାସ୍ତାରେ ପାର୍କିଂ କିମ୍ବା ଚାଲୁଥିବା ପୁରୁଣା ଯାନଗୁଡ଼ିକୁ ଏବେ ପୂର୍ବ ସୂଚନା ବିନା ଜବତ ଏବଂ ସ୍କ୍ରାପ୍ କରାଯିବ। ରାଜଧାନୀ ଦିଲ୍ଲୀରେ ଯେଉଁ ଯାନବାହାନ ପୁରୁଣା ହୋଇଗଲାଣି ଏବେ ସେସବୁର ସମୟ ସରି ଆସୁଛି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଏକ ସାର୍ବଜନୀନ ନୋଟିସ୍ ଜାରି କରି ସ୍ପଷ୍ଟ କରିଛି ଯେ, ରାଜଧାନୀର ରାସ୍ତାରେ ଆଉ ପୁରୁଣା ଯାନବାହାନ ଚଳାଚଳ କରିପାରିବ ନାହିଁ। ବିଭାଗ ଅନୁଯାୟୀ, ଯଦି ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି କିମ୍ବା ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ି ରାସ୍ତାରେ ଚଲାଉଥିବା କିମ୍ବା ସାର୍ବଜନୀନ ସ୍ଥାନରେ ପାର୍କିଂ କରୁଥିବା ଦେଖାଯାଏ, ତେବେ ତୁରନ୍ତ ଜବତ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଗାଡ଼ି ମାଲିକଙ୍କୁ ଆଉ ପୃଥକ ନୋଟିସ୍ ଜାରି କରିବ ନାହିଁ । ଗାଡ଼ିକୁ ସିଧାସଳଖ ସ୍କ୍ରାପ୍ ପାଇଁ ପଠାଯିବ। ଦିଲ୍ଲୀ ସରକାରଙ୍କ କଠୋର ପଦକ୍ଷେପ ମୁଖ୍ୟତଃ ସହରରେ ବିପଜ୍ଜନକ ସ୍ତରରେ ପହଞ୍ଚିଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ। ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନ ଏଣ୍ଡ ଅଫ୍ ଲାଇଫ୍ର(ଇଓଏଲ୍)ର ନୂଆ ନିୟମ ବର୍ଗରେ ପଡ଼େ।

ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ,ବିଏସ୍-୩ ଓ ନିମ୍ନ ନିର୍ଗମନ ମାନଦଣ୍ଡ ଥିବା ଯାନଗୁଡ଼ିକୁ ଏବେ ଦିଲ୍ଲୀର ବାୟୁ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଉଛି। ତେଣୁ ସେଗୁଡ଼ିକୁ ରାସ୍ତାରୁ ହଟାଇବା ଆଇନଗତ ଭାବରେ ବାଧ୍ୟତାମୂଳକ। ଏହି ବର୍ଗରେ ପଡୁଥିବା ଗାଡ଼ିର ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପ୍ ହେବାରୁ ରକ୍ଷା କରିପାରିବେ। ବିଭାଗ ଏହାର ନୋଟିସ୍ରେ ମାଲିକମାନଙ୍କୁ ସେମାନଙ୍କର ପୁରୁଣା ଗାଡ଼ିଗୁଡ଼ିକୁ ଦିଲ୍ଲୀ-ଏନ୍ସିଆର ବାହାରକୁ ନେଇଯିବାକୁ ପରାମର୍ଶ ଦେଇଛି । ତଥାପି, ଏଥିପାଇଁ, ଗାଡ଼ି ମାଲିକମାନଙ୍କୁ ପରିବହନ ବିଭାଗରୁ ଏକ ଅବଜେକ୍ସନ ସାର୍ଟିଫିକେଟ୍ (ଏନଓସି) ପାଇବା ବାଧ୍ୟତାମୂଳକ ହେବ। ଏନ୍ଓସି ପାଇବା ପରେ,ସେମାନେ ଗାଡ଼ିକୁ ସେହି ରାଜ୍ୟ କିମ୍ବା ଅଞ୍ଚଳକୁ ନେଇପାରିବେ ଯେଉଁଠାରେ ଏପରି ପୁରୁଣା ଗାଡ଼ିଗୁଡ଼ିକୁ ନିଷିଦ୍ଧ କରାଯାଇ ନାହିଁ। ସମୟ ମଧ୍ୟରେ ଏହି ପଦକ୍ଷେପ ନ ନେଲେ ମାଲିକମାନଙ୍କର ଗାଡ଼ି ସ୍କ୍ରାପ୍ କରାଯିବ।
