ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ଚଳ ପ୍ରଚଳ ହେଉଛନ୍ତି।ଯାହା ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଧିକାଂଶ ସମୟରେ ରାତିସାରା ବିଦ୍ୟୁତ କାଟ ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ହାତୀପଲ ଗଣ୍ଡିଶୂଳା ନିକଟରେ ଥିବା ବେଳେ ଗୋଟିଏ ଦନ୍ତାହାତୀ ମୁଜାଗଡ଼ ଅଞ୍ଚଳରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଘୁରି ବୁଲୁଥିବା ଯୋଗୁଁ , ତାକୁ ଘଉଡାଇବା ପାଇଁ ଗ୍ରାମବାସୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ଦେଖା ନଥିଲା।
ଯାହାଫଳରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ମାନେ ୧୫୭ନଂ ଜାତୀୟ ରାଜପଥ ଭଞ୍ଜନଗର-ଫୁଲବାଣୀ ରାସ୍ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଯାହା ଫଳରେ ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା। ରାତି ପ୍ରାୟ ସାଢ଼େ ୨ଟା ସମୟରେ ପୋଲିସ, ବନ ବିଭାଗ ଓ ବିଦ୍ୟୁତ ବିଭଗ କର୍ମଚାରୀମାନେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ବୁଧବାର ଦିନ ବୈଠକ ବସି ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ଏବଂ ବିଦ୍ୟୁତ ତାର ବଦଳରେ କେବୁଲ ତାର ଟଣାଯିବାକୁ ବିଦ୍ୟୁତ ବିଭାଗ ସ୍ଥିର କରିଥିବା କହିଛନ୍ତି। ପ୍ରତିଶୃତି ପାଇବା ପରେ ରାତି ୩ଟା ସମୟରେ ଚଳାଚଳ ସ୍ୱାଭାବିକ ହୋଇଥିଲା।

