ପୁରୀ : ଏବେ ସହଜ ହେବ ଶ୍ରୀମନ୍ଦିର ପ୍ରବେଶ । ଆଜି ଦିନ ୧୧ଟାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଏଣିକି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ । ପୂର୍ବରୁ ଭକ୍ତ କେବଳ ପୂର୍ବଦ୍ୱାର ଦେଇ ପ୍ରବେଶର ଅନୁମତି ଥିଲା ଏବଂ ପଶ୍ଚିମ ଦ୍ୱାର ଦେଇ କେବଳ ଶେବାୟତଙ୍କ ପରିବାର ଏବଂ ପୁରୀ ସହର ବାସୀଙ୍କୁ ପ୍ରବେଶର ଅନୁମତି ଦିଆଯାଇଥିଲା । ହେଲେ ଏବେ ୨୯ ତାରିଖରୁ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିପାରିବେ ବୋଲି ପରିଚାଳନା ବୈଠକରେ ଅନୁମତି ମିଳିଛି । ଏହା ସହ ଚନ୍ଦନ ଯାତ୍ରାରେ ମଧ୍ୟ ଭକ୍ତଙ୍କ ସାମିଲ ହେବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଅନ୍ୟପଟେ ରଥ ନିର୍ମାଣ ପାଇଁ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ।
ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନଓ୍ବର ବିଶାଲ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ୨୫ ତାରିଖରେ ପୁଣି ଥରେ ବୈଠକ ବସାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ।