ଖେଳଭାରତ

ଆଜି ଲଢ଼ିବେ ଭାରତ-ପାକିସ୍ତାନ : ଅପରାହ୍ନ ଗୋଟାଏ ୩୦ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ

ମେଲବର୍ଣ୍ଣ : ଆଜି ଟି-ଟ୍ବେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ଟକ୍କର । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରଣନୀତି କରିଛି ମେନ୍‌ ଇନ୍‌ ବ୍ଲୁ । ଝାଳବୁହା ଅଭ୍ୟାସ କରିଛନ୍ତି ଖେଳାଳି । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ । ଆଉ ମେଲବର୍ଣ୍ଣରେ ଖଚାଖଚ ଦର୍ଶକଙ୍କ ଭିଡ ଭିତରେ ଭାରତ-ପାକିସ୍ତାନ ବ୍ୟାଟସମ୍ୟାନ ବର୍ଷିଦେବେ ଛକା ଚୌକ । ପାକିସ୍ତାନ ବୋଲରଙ୍କୁ ଦିଗହରା କରିବାକୁ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କ ଭଳି ଧୁରନ୍ଦର ବ୍ୟାଟସମ୍ୟାନଙ୍କ ଉପରେ ଭରସା ରଖିଥିବା ବେଳେ ପାକିସ୍ତାନ ମଧ୍ୟ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଜରିଆରେ ମ୍ୟାନ ଇନ୍ ବ୍ଲୁର ବୋଲରଙ୍କୁ ନିରାଶ କରିବାକୁ ପ୍ରୟାସ କରିବ । ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ କଣ ରହିବ ତାଉପରେ ସମସ୍ତଙ୍କର ନଜର ରହିଛି । ରୋହିତ, ଲୋକେଶ ରାହୁଲ, ବିରାଟ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପକ୍କା । ବିରାଟ ଓ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛି ଟିମ୍‌ ଇଣ୍ଡିଆ । ସେପଟେ ଓ୍ଵିକେଟ କିପର ଭାବରେ ଦୀନେଶ କାର୍ତ୍ତିକ ନା ରିଷଭ ପନ୍ଥ କିଏ ଖେଳିବେ ତାକୁ ନେଇ ସସପେନ୍ସ ।

ତେବେ ଭାରତକୁ ଅଡୁଆରେ ପକାଇ ପାରନ୍ତି ପାକିସ୍ତାନର ବୋଲର ଶାହୀନ ଶାହ ଆଫ୍ରିଦି । ୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା । ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି । ଏସିଆ କପରେ ଦୁଇଟି ମ୍ୟାଚରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । କିନ୍ତୁ ଆଜିର ମ୍ୟାଚରେ ବର୍ଷା ଗୋଟିଏ ବଡ ବାଧକ ସାଜିପାରେ । ମେଲବର୍ଣ୍ଣରେ ୭୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । କିନ୍ତୁ ଦୀପାବଳି ପାଇଁ ସମସ୍ତେ ଘରେ ଛୁଟିରେ ଥିବା ବେଳେ ସୁପରସଣ୍ଡେର ସୁପର ଶୋ ଦେଖିବାକୁ ଅପେକ୍ଷା କରିିଛନ୍ତି ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ବିଶ୍ବବିଜେତା ହୋଇଥିଲା। କିନ୍ତୁ ୧୫ ବର୍ଷ ହେଲାଣି ଏହି ସ୍ବାଦ ଭାରତ ଚାଖିନି। କେବଳ ଏତିକି ନୁହେଁ, ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ମଧ୍ୟ ଗତ ବିଶ୍ବକପ୍‌ରେ ଭାଙ୍ଗିଥିଲା। ଦୁବାଇରେ ପରାଜୟ ଯୋଗୁ ଭାରତୀୟ ଖେଳାଳି ଘାଇଲା ଥିବା ବେଳେ ମେଲବର୍ଣ୍ଣରେ ତାହାର ପ୍ରତିଶୋଧ ନେବାକୁ ଆଗ୍ରହୀ। ପ୍ରଥମ କରି ସାହିନ୍‌ ଆଫ୍ରିଦିଙ୍କୁ ଭାରତୀୟ ବ୍ୟାଟର ସାମ୍ନା କରିପାରିନଥିଲେ, ହେଲେ ଏବେ ସମସ୍ତେ ଏଭଳି ବୋଲିଂ ସହ ଅଭ୍ୟସ୍ତ ହେଲେଣି। ତଥାପି ଭାରତୀୟ ବ୍ୟାଟିଂ କ୍ରମ ଏବେ ବି ପ୍ରଶ୍ନ ଘେରରେ ରହିଛି। କାରଣ ୨୦୧୯ ଦିନିକିଆ ବିଶ୍ବକପ୍‌ରେ ଭାରତର ଚତୁର୍ଥ ସ୍ଥାନର ଖେଳାଳି କେହି ନଥିବା ବେଳେ ଗତ ଏକ ବର୍ଷ ଧରି ଦଳର ସ୍ଥାୟୀ ବ୍ୟାଟିଂ କ୍ରମ ନିର୍ଧାରିତ ହୋଇପାରୁନି। ତଥାପି ଭାରତୀୟ ଦଳ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବ ଏବଂ ଜିତିବ ବୋଲି ପ୍ରତ୍ୟକ ଭାରତୀୟ ଆଶା ବାନ୍ଧିଛନ୍ତି |

Related posts

ଅଯୋଧ୍ୟାରେ ପ୍ରବଳ ଭିଡ଼, ବଢ଼ିଲା ଦର୍ଶନ ସମୟ

mahabharatanews

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

mahabharatanews

ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ

mahabharatanews