(ଉତ୍ତରାଖଣ୍ଡ) : ସାରା ଦେଶରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି । ହିମାଚଳପ୍ରଦେଶ, ଉତ୍ତରାଖଣ୍ତ, ଦିଲ୍ଲୀ, ପରି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦେଶର ରାଜଧାନୀରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ ଡାକିଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହି ବୈଠକ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ରହିବେ।
ସୂଚନା ଅନୁସାରେ, ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଗଙ୍ଗା ସମେତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବା ସହ ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ଶତାଧିକ ଲୋକଙ୍କର ମୃତ ଘଟିବା ସହ ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।
