ସରିଛି ନୂଆପଡା ଉପନିର୍ବାଚନ ଭୋଟଗଣତି । ଆଉ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏହାସହ କଂଗ୍ରେସ ଓ ବିଜେଡି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହାରି ଭିତରେ ଉପନିର୍ବାଚନ ଫଳାଫଳ ବାହାରିବା ପରେ ଟ୍ୱିଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡା ଉପନିର୍ବାଚନରେ ଯୋଗଦାନ କରିଥିବା ବିଜେଡିର ସମସ୍ତ କର୍ମକର୍ତ୍ତା, ନେତା ଏବଂ ସମର୍ଥକ, ଯେଉଁମାନେ ଉପନିର୍ବାଚନରେ ବିଜେଡି ସହିତ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏହାସହ ଉପନିର୍ବାଚନରେ ବିଜୟୀ ହୋଇଥିବା ଜୟ ଢୋଲକିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସେ ନୂଆପଡାର ଉନ୍ନତି କରିବେ ବୋଲି କାମନା କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ତଥାପି ଆଗକୁ ବିଜେଡି ଓଡିଶା ଲୋକମାନଙ୍କ ପାଇଁ ଏହାର ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।
