ଝାଡ଼ଖଣ୍ଡ: ଦୁଇ ଜଣ ମହିଳାଙ୍କୁ ଏକାସଙ୍ଗେ ବିବାହ କଲା ଯୁବକ। ଏଭଳି ଏକ ଅଦ୍ଭୁତ ବିବାହ ଅନୁଷ୍ଠିତ ହୋଇଛି ଝାଡ଼ଖଣ୍ଡର ଲୋହରଦଗା ଅଞ୍ଚଳରେ। ପ୍ରଥମରୁ ପରିଜନ ମାନେ ଏହି ବିବାହରେ ରାଜି ନଥିବାବେଳେ ପରେ କିନ୍ତୁ ସେମାନେ ସହମତି ଜଣାଇଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଗାଁ ଲୋକଙ୍କ ସହ ଯୁବକଙ୍କ ପ୍ରଥମ ପତ୍ନୀଙ୍କ ପୁଅ ମଧ୍ୟ ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସୂଚନାନୁସାରେ , ଭଣ୍ଡରା ଅଞ୍ଚଳର ବଣ୍ଡା ଗାଁରେ ସନ୍ଦୀପ ନାମକ ଜଣେ ଯୁବକଙ୍କର ଦୁଇ ଜଣ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପ୍ରଥମେ ସେ କୁସୁମଙ୍କ ସହ ଲିଭ୍-ଇନ୍ ରିଲେସନ୍ରେ ଥିଲେ। ତାଙ୍କର ଏକ ପୁଅ ବି ଅଛି। ଇତି ମଧ୍ୟରେ ସେ ଆଉ ଜଣେ ଯୁବତୀ ସ୍ୱାତୀଙ୍କୁ ପ୍ରେମ କରିଥିଲେ। ଏହା ଜାଣିବା ପରେ ପରିବାର ଲୋକେ ଆପତ୍ତି କରିଥିଲେ।
ବିବାହ କଥା କହିବାରୁ ସେ ଏଥିପାଇଁ ମନା କରିଦେଇଥିଲେ। ଫଳରେ କଥା ପଞ୍ଚାୟତ ଯାଏଁ ଯାଇଥିଲା। ପଞ୍ଚାୟତଙ୍କ ନିଷ୍ପତ୍ତି ମୁତାବକ, ଯୁବକ ଦୁଇ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଫଳରେ ସନ୍ଦୀପ ଗାଁ ଲୋକଙ୍କ ସାମ୍ନାରେ ଉଭୟଙ୍କ ମଥାରେ ସିନ୍ଦୁର ଭରିଥିଲେ। ଏହି ବିବାହରେ କୁସୁମର ପୁଅ ବି ଯୋଗ ଦେଇଥିଲା।ଗାଁ ଲୋକଙ୍କ କହିବାନୁସାରେ, ସନ୍ଦୀପ ଓରାମ୍ବ କୁସୁମଙ୍କ ସହ ୩ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ସିପ୍ରେ ଥିଲେ। ଏମାନଙ୍କ ପ୍ରେମରେ ଦ୍ୱିତୀୟ ଯୁବତୀ ସ୍ୱାତୀ ପ୍ରବେଶ କରିଥିଲେ।
କିଛି ଦିନ ତଳେ ସନ୍ଦୀପ ପଶ୍ଚିମବଙ୍ଗର ଏକ ଇଟା ଭାଟିରେ କାମ କରୁଥିଲେ। ସେଠାରେ ତାଙ୍କର ସ୍ୱାତୀଙ୍କ ସହ ଭେଟ ହୋଇଥିଲା। ଗାଁକୁ ଫେରିବା ପରେ ବି ସେ ସ୍ୱାତୀଙ୍କ ସହ ମିଳାମିଶା ଜାରି ରଖିଥିଲେ। ଏ ନେଇ ଜାଣିବା ପରେ ଗାଁ ଲୋକେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ। ଅନେକ ପାଟିତୁଣ୍ଡ ପରେ ଗାଁ ଲୋକେ ବୈଠକ ଡାକିଥିଲେ। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ସନ୍ଦୀପ ୨ ଜଣଙ୍କୁ ବିବାହ କରିବେ। ଏଥିରେ ସନ୍ଦୀପ ମଧ୍ୟ ରାଜି ହୋଇଥିଲେ। ଫଳରେ ସେ ଦୁଇ ଜଣଙ୍କୁ ବିବାହ କରିଛନ୍ତି।