ଗୋଟିଏ ଶବ ଖୋଜୁ ଖୋଜୁ ମିଳିଲା ଆଉ ଗୋଟିଏ ଶବ। ଗତକାଲି ବାଣୀବିହାର ନିକଟସ୍ଥ ଡ୍ରେନରେ ଭାସି ଯାଇଥିବା ୩୫ ବର୍ଷୀୟ ଅନୀଲଙ୍କୁ ଉଦ୍ଧାର କରିବା ପାଇଁ ଏବେ ମଧ୍ୟ ଅଗ୍ନିଶମ ବାହିନୀ ଓ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ସମୟରେ ଭୁବନେଶ୍ୱରର ବମିଖାଲ କେନାଲ କଡ଼ରେ ଏକ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ପ୍ରଥମେ ଏହା ଅନୀଲଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଇଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଏହା ଅନୀଲଙ୍କ ମୃତଦେହ ନୁହେଁ, ବରଂ ଜଣେ ଅଜଣା ବ୍ୟକ୍ତିଙ୍କ ଶବ।
/kanak/media/media_files/2026/07/05/missing-2026-07-05-09-24-03.png)
ସ୍ଥାନୀୟ ଲୋକମାନେ କେନାଲ କଡ଼ରେ ମୃତଦେହଟି ଦେଖି ଲକ୍ଷ୍ମୀସାଗର ଥାନା ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମୃତଦେହଟି କେନାଲ ପାଣିରେ ଭାସି ଆସି ସେଠାରେ ଅଟକି ଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହା ସହ କୌଣସି ଅପରାଧ ଜଡ଼ିତ ଅଛି କି ନାହିଁ, ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ମୃତକଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ସମ୍ପର୍କରେ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।
