କଟକରେ ୩୦ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ମୁତୟନ
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡି଼ଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ଟ୍ୱିନସିଟି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ପୁଲିସ ପକ୍ଷରୁ ଶାହଙ୍କ ସୁରକ୍ଷା ଲାଗି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଏଥି ସହିତ ସିଆରପିଏଫ ଓ କମ୍ପାନୀ ଫୋର୍ସ ମୁତୟନ ହେବେ। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେହିପରି କଟକ ପୁଲିସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସୁରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଶାହ ଗସ୍ତ ଲାଗି ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି କଟକ ଡିସିପି ପିନାକ ମିଶ୍ର। ପ୍ରଥମେ କଟକ ପୁଲିସ ପକ୍ଷରୁ ଫୁଲନଖରା ଛକରୁ ଇଣ୍ଡଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ଅଣାଯିବ। ଗସ୍ତ ସମୟରେ ସମସ୍ତ ଗାଡି ଚଳାଚଳ ବନ୍ଦ ରହିବ ଓ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ ଡିସିପି ଶ୍ରୀ ମିଶ୍ର କହିଛନ୍ତି। ତେବେ ଗୃହ ମନ୍ତ୍ରୀ ହେବା ପରେ ଶାହାଙ୍କର ଏହା ପ୍ରଥମ ଓଡି଼ଶାର ଗସ୍ତ। ଓଡି଼ଶାରେ ଇଡି ଓ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବାବେଳେ ତାଙ୍କ ଗସ୍ତକୁ ନେଇ ରାଜନୈତିକ ଉଷ୍ମତା ଭରି ଦେଇଛି। ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ବିମାନ ବନ୍ଦରରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ସୋମବାର ସକାଳେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ କଟକ ଗସ୍ତରେ ଯାଇ ଓଡି଼ଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ ଇନଡୋର ଷ୍ଟାଡିୟମ ଯାଇ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେବେ। ଅପରାହ୍ନରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବେ। ତେବେ ବିଜେଡି ସରକାରଙ୍କୁ ନେଇ ଶାହାଙ୍କର ମନ୍ତବ୍ୟ କଣ ରହୁଛି ସେନେଇ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଅପେକ୍ଷା କରିଛନ୍ତି।
previous post
