ଭୁବନେଶ୍ୱର: କରୋନା ଟୀକାକରଣ କାର୍ଯ୍ୟରେ ଡାକ୍ତର, ସ୍ୱାସ୍ଥ୍ୟର୍କୀ ନିୟୋଜିତ ରହିବାକୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କରୋନା ଟୀକାକରଣ ବ୍ୟବସ୍ଥାକୁ ସପ୍ତାହରେ ୩ ଦିନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଫଳରେ ସପ୍ତାହର ସୋମବାର, ଗୁରୁବାର ଓ ଶନିବାର ରାଜ୍ୟରେ ଟିକାଦାନ ହେବ ।
୨୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୧ ହଜାର ୯୫୩ ସ୍ବାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇ ଯାଇଛି । ପ୍ରଥମ ପର୍ୟ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚମ ଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୪୮୦ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ଗଂଜାମରେ ୧୩୩୫ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ପ୍ରସ୍ତୁତି ହୋଇଥିବା ବେଳେ କର୍ମୀଙ୍କ ଉତ୍ସାହକୁ ଦେଖି ୩ ହଜାର ୭ ଶହ ୪୭ ଜଣ ଟିକା ନେଇଛନ୍ତି । ଶୁକ୍ରବାର ୧୩୭ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୮ଟି ଜିଲ୍ଲା ଏବଂ ଭୁବେନଶ୍ବରରେ ଟିକାକରଣ ବନ୍ଦ ରହିବ । ଶୁକ୍ରବାର ୧୧ ହଜାର ୮୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।