ଭୁବନେଶ୍ୱର/ଶିଳାସ୍ମିତା ରାୟ: କନ୍ଧମାଳ ସାଂସଦ, ସର୍ବୋପରେ ସମାଜସେବୀ ଅଚ୍ୟୁତ ସାମନ୍ତ ପୁଣି ଥରେ ତାଙ୍କ ବଦାନ୍ୟତା ଦେଖାଇଛନ୍ତି । ସମାଜ ପ୍ରତି ତାଙ୍କ ଉତ୍ତରଦାୟିତ୍ୱ ସମ୍ପାଦନ କରିଛନ୍ତି । କେନ୍ଦ୍ରାପଡାର ଧୁମତ ପଞ୍ଚାୟତର ଏକ ଗରିବ ନିଃସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପରିବାରର ରୋଗିଣୀ ମା’ଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାର ସହାୟତା ତଥା ପରିବାରର ୩ ପିଲାଙ୍କୁ କିସରେ ପଢିବାର ସୁଯୋଗ ଦେଇଛନ୍ତି । ସେ କନ୍ଧମାଳର ସାଂସଦ ହୋଇଥିଲେ ମଧ୍ୟ ସାରା ଓଡିଶା ତାଙ୍କ କର୍ମ କ୍ଷେତ୍ର ଏଥିରୁ ସ୍ପଷ୍ଟ ବାରି ହୋଇ ପଡିଛି ।
କେନ୍ଦ୍ରାପଡା ଜିଲ୍ଲା ଧୁମତ ପଞ୍ଚାୟତର ଏକ ୭ ବର୍ଷର ବାଳକ ଶୁଭମ । ପାଠ ପଢା ଓ ଖେଳକୁଦ ବୟସରେ ତା କାନ୍ଧରେ ପରିବାରର ପ୍ରତିପୋଷଣର ଭାର । ବାପା ଆଉ ଏ ଦୁନିଆରେ ନାହାନ୍ତି । ମାଙ୍କୁ କିଡନୀ ରୋଗ, ତାଙ୍କ ପାଇଁ କାମ କରିବା କଷ୍ଟକର । କୁନି ପିଲାଟି ଗାଁରେ ଘର ଘର ବୁଲି ଚାଉଳ ମାଗି ଘର ଚଳାଏ । ଏକ ଛୋଟ କୁଡିଆରେ ଦୟନୀୟ ଜୀବନ ଯାପନ କରୁଛି ଏହି ପରିବାର । ଶୁଭମର ପରିବାରରେ ୪ ଜଣ ସଦସ୍ୟ । ମା କିଡନୀ ରୋଗରେ ଆକ୍ରାନ୍ତ । ସେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦିନକୁ ଦୁଇ ଓଳି ଖାଇବା ଯୋଗାଡ କରିବା ସେମାନଙ୍କ ପାଇଁ କଷ୍ଟକର । ଚିକିତ୍ସା କଥା ଚିନ୍ତା କରିବା କାଠିକର ପାଠ । ତଥାପି କୁନି ପୁଅ ଶଭମ ହାରି ଯାଇ ନାହିଁ । ପରିବାର ପ୍ରତିପୋଷଣ କରିବା ସହ ମା’ର ଚିକିତ୍ସା ପାଇଁ ପଇସା ସଂଚୟ କରିବାର ଦୁଶାଧ୍ୟ ସ୍ୱପ୍ନ ନେଇ ବଞ୍ଚିଛି ।
ଏହି ପରିବାର ବିଷୟରେ ଜାଣିବା ପରେ ସାଂସଦ ସାମନ୍ତ ସେମାନଙ୍କ ଘରକୁ ଯାଇ ପ୍ରତ୍ୟକ୍ଷରେ ସେମାନଙ୍କ ଦୁର୍ଦ୍ଦଶା ଦେଖିଥିଲେ । ଛୋଟ ପିଲାଟିର ସଂଘର୍ଷ, ପୀଡିତା ମା”ର ଯନ୍ତ୍ରଣା ସାଂସଦଙ୍କୁ ମର୍ମାହତ କରିଥିଲା । ତେଣୁ ସେମାନଙ୍କ ସହାୟତା ପାଇଁ କିସ ଫାଉଣ୍ଡେସନ ପକ୍ଷରୁ ୧୫ ହଜାର ଟଙ୍କାର ଅର୍ଥିକ ସହଯୋଗ ସହ ମାସିକ ସହଯୋଗ ବାବଦକୁ ୫ ହଜାର ଟଙ୍କା ଲେଖା ଯୋଗାଇବାକୁ ଘୋଷଣା କରିଛନ୍ତି ସାଂସଦ । ଏହା ବ୍ୟତୀତ ବାଲେଶ୍ୱରରେ କିସ ଅନୁଷ୍ଠାନ କାର୍ଯ୍ୟକରିବା ପରେ ପରିବାରର ସମସ୍ତ ୩ ପିଲାଙ୍କୁ ସେଠାରେ ପଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିସହ ସ୍ଥାନୀୟ ପ୍ରଶାସନ ତଥା ବିଧାୟକ ଶଶୀଭୂଷଣ ବେହେରାଙ୍କ ସହ ସାଂସଦ ଆଲୋଚନା କରି ଏହି ଗରିବ ପରିବାରକୁ ରାଜ୍ୟ ଗୃହ ଯୋଜନା ଅନ୍ତର୍ଗତ ଏକ ପକ୍କା ଘର ଯୋଗାଇ ଦେବାକୁ ତଥା ବର୍ତ୍ତମାନର ମହାମାରୀ କାଳର ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ପରିବାରକୁ ରାସନ ସାମଗ୍ରୀ, ଅତ୍ୟାବଶ୍ୟକ ଜିନିଷ, ଶୁଖିଲା ଖାଦ୍ୟ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରିବେ କହିଛନ୍ତି । ଏହା ବାଦ ସେମାନଙ୍କ ମା’ଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେଇ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାର ଆଶା ରଖିଛନ୍ତି ସାଂସଦ ।
previous post