ଭୁବନେଶ୍ୱର/ସୁର୍ଜିତ ଧଳ: ଦୀର୍ଘ ୨୦ ବର୍ଷର ସ୍ଥିର ଶାସନ ସତ୍ତେ୍ୱ ରାଜ୍ୟରେ ସାଧାରଣ ଜନତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇନାହିଁ । କିନ୍ତୁ ହାତଗଣତି କିଛି ବ୍ୟକ୍ତି ବିଶେଷଙ୍କର ଅହେତୁକ ଉନ୍ନତି, ବିକାଶ ହୋଇଛି । ଆଉ ଏମାନଙ୍କ ଉନ୍ନତି ଶାସକ ଦଳର ଅହେତୁକ ଅନୁକମ୍ପା ପାଇଁ ସମ୍ଭବ ହେଉଛି ବୋଲି ଶୁଣିବାକୁ ମିଳୁଛି । ଏକାଧିକ ଘାଟରେ ପାଣି ପିଇଥିବା ଠିକାଦାର, ବ୍ୟବସାୟୀ ଶାସକ ଦଳର ଛତ୍ରଛାୟା ତଳେ ରାଜଧାନୀର ମୋଷ୍ଟ ଡିମାଣ୍ଡେଡ ସ୍ଥାନରେ ବିଳାଶପୂର୍ଣ୍ଣ କୋଠା ବାଡି ଠିଆ କରାଇଛନ୍ତି । ସେମାନଙ୍କ ମଧ୍ୟରେ ଏମିତି ଜଣେ ବ୍ୟବସାୟୀ ରହିଛନ୍ତି ଯିଏ କୌଣସି ରାଜନୈତିକ ଦଳର ନେତା ବା କର୍ମକର୍ତ୍ତା ହୋଇ ନ ଥିଲେ ମଧ୍ୟ ସବୁ ଦଳର ପାୱାରଫୁଲ ନେତାଙ୍କ ସହ ସମୟ ଓ ଆବଶ୍ୟକତାକ୍ରମେ ଆତ୍ମୀୟତା ରହିଛି । ତାଙ୍କୁ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ କୋଟି କୋଟି ଟଙ୍କାର ପ୍ରକଳ୍ପ ମିଳୁଛି । ଆଉ ଏହି ପ୍ରକଳ୍ପ ହାତଉଥିବା ବ୍ୟବସାୟୀ ଜଣକ ହେଲେ ଅମୀୟ କାନ୍ତ ଦାସ ।
ଅମୀୟ କାନ୍ତ ଦାସ! ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଅମୀୟ ତାଙ୍କ ବ୍ୟବସାୟିକ ଜୀବନର ଆରମ୍ଭ କରିଥିଲେ । ଟାୱାର ସ୍ଥାପନ ପାଇଁ ତାଙ୍କ ଠିକାଦାରୀ ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କୁ ବେଶ ଭଲଭାବେ ଜଣାଥିଲା, ଠିକାଦାରୀ କରିବାକୁ ହେଲେ ରାଜନୈତିକ ଦଳର ବାହୁଛାୟା ତଳେ ରହିବା ଆବଶ୍ୟକ । ତାହା ପୁଣି ଶାସକ ଦଳର । ତେଣୁ ସେ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେତେବେଳର ଦଳର କ୍ଷମତା କେନ୍ଦ୍ର ବୋଲାଉ ଥିବା ଲୁଲୁ ମହାପାତ୍ରଙ୍କ ସହ ଘନିଷ୍ଠତା ବଢାଇଥିଲେ । ଏହା ପରେ ଏମିତି ସମୟ ଆସିଲା କି ସେ ଲୁଲୁଙ୍କ ପରିବାରର ଜଣେ ସଦସ୍ୟ ପାଲଟି ଯାଇଥିଲେ । କଂଗ୍ରେସ ସହଯୋଗରେ ସେ ପାଉଥିଲେ ଟେଣ୍ଡର । କିନ୍ତୁ ୨୦୦୦ରେ ବିଜେଡି କ୍ଷମତାକୁ ଆସିଥିଲା ।
ବିଜେଡି ଶାସନରେ ଅମୀୟଙ୍କୁ ସରକାରୀ ସହଯୋଗ ମିଳିବା ବନ୍ଦ ହୋଇଗଲା । ସ୍ଥିତି ଏମିତି ହେଲା କି, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅମୀୟଙ୍କ ଡ୍ରିମ ପୋଜେକ୍ଟ ନୋଭାଟେଲ ହୋଟେଲର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡିଲା । ଲୁଲୁଙ୍କର ଓ କଂଗ୍ରେସର ରାଜ୍ୟରେ ପତିଆରା ନଥିଲା । ଶାସକ ବିଜେଡି ଦଳଠାରୁ ସହଯୋଗ ମିଳୁ ନ ଥିଲା । ତେଣୁ ଧୀରେ ଧୀରେ ତାଙ୍କର ବିଜେପି ସହ ଘନିଷ୍ଠତା ବଢିଲା । ବନ୍ଦ ପଡିଥିବା ତାଙ୍କ ପ୍ରୋଜେକ୍ଟ ପୁଣି କାର୍ଯ୍ୟକ୍ଷମ ହେଲା । କେନ୍ଦ୍ରୀ ଯୋଜନାରେ ତାଙ୍କୁ ମିଳିଲା ସୁଯୋଗ । ତେବେ ସେହି ବିଜେପି ନେତା କିଏ ? କାହାର ଅନୁକମ୍ପାନୀ ଅମୀୟଙ୍କ ଡିମ ପ୍ରୋଜେକ୍ଟ ମାତ୍ର ଦିନ କେଇଟାରେ କାର୍ଯ୍ୟକ୍ଷମ କଲା? ହେଲେ ଏହି ସମ୍ପର୍କ ବେଶୀ ଦିନ ପାଇଁ ନ ଥିଲା । ୨୦୧୬ରେ ଲୁଲୁଙ୍କ ନିଧନ ହେଲା । ଲୁଲୁଙ୍କ ନାମରେ ସେ ଗଠିତ କରିଥିବା ଲୁଲୁ ସେନାକୁ ଆର୍ଥିକ ସହଯୋଗ ଦେଇ ସେ ଲୁଲୁ ସେନାର କଂଗ୍ରେସ ଦଳୀୟ କର୍ମୀଙ୍କୁ ନିଜ ଅକ୍ତିଆରକୁ ନେଇ ଆସିଲେ ।
ଏହା ପରେ ସେ କଂଗ୍ରେସ ସମର୍ଥକଙ୍କୁ ନେଇ ବିଜେପିକୁ ଛାଡି ବିଜେଡି ନେତାଙ୍କ ଆଶ୍ରୟ ନେଇଛନ୍ତି । ଆଜି ସେହି ନେତାଙ୍କ ଛତ୍ରଛାୟାରେ ସେ ସମସ୍ତ ସରକାରୀ ପ୍ରକଳ୍ପ ପାଇଁ ପାଉଛନ୍ତି ଇଲେକ୍ଟ୍ରିକାଲ ଇକୁଇପମେଣ୍ଟର ସପ୍ଲାଏ ଟେଣ୍ଡର । କାରଣ ସେ ଯେଉଁ ନେତାଙ୍କ ଆଶ୍ରିତ ହୋଇଛନ୍ତି, ସେ ଶାସକ ଦଳର ଜଣେ ଆଗ ଧାଡିର ନେତା । କୁହାଯାଉଛି ସେ ହେଉଛନ୍ତି ନବୀନଙ୍କ ଦଳରେ ସବୁଠାରୁ କ୍ଷମତାଶାଳୀ ନେତା । ଯେଉଁଥି ପାଇଁ କଟକର ୫୦ କୋଟି ଟଙ୍କା ପ୍ରୋଜେକ୍ଟ ମଧ୍ୟ ତାଙ୍କୁ ମିଳିଛି । ତେବେ ସେହି ନେତା ଜଣ କିଏ? ଅମୀୟଙ୍କ କାର୍ଯ୍ୟ ଶୈଳୀକୁ ଅବଲୋକନ କଲେ ଏତିକି ସ୍ପଷ୍ଟ ହୋଇଛି କି ତାଙ୍କୁ ବ୍ୟବସାୟ ପାଠ ବେଶ ଭଲଭାବେ ଜଣା । ସେ ବେଶ ଭଲଭାବେ ଅବଗତ କି ରାଜନୈତିକ ଦଳ ତାହା ପୁଣି ଶାସନ ଗାଦିରେ ଥିବା ଦଳର ସହଯୋଗ ନ ମିଳିଲେ ବେପାର ବଟା ଅସମ୍ଭବ । ତେଣୁ ଶାସକ ଦଳ ନେତାଙ୍କୁ ପଟେଇ କାମ ହାସଲ କରିବା କଳାରେ ସେ ପାରଙ୍ଗମତା ହାସଲ କରିଛନ୍ତି । ଅମୀୟଙ୍କ ଏହି ସଫଳତା ଓ କାରସାଦିକୁ ନେଇ ସେ କେଉଁ ଦଳର ଓ କାହାର ବୋଲି ଏବେ ଅନ୍ୟ ଠିକାଦାର ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ।