ଓଡିଶାସ୍ୱାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ) ଦିବସ ପାଳିତ

ଭୁବନେଶ୍ୱର (ଆଶିଷ ):୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ। ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କଠାରେ ଦେଖାଯାଏ। ୫୦ ବର୍ଷ ପରେ ଓଷ୍ଟିଓପୋରୋସିସ୍ ହେତୁ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହୁଅନ୍ତି। ବହୁଳ ଷ୍ଟେରଏଡ୍ ବ୍ୟବହାର କାରଣରୁ କୋଭିଡ୍ ପରବର୍ତ୍ତୀ ସମୟରେ ଓଷ୍ଟିଓପୋରୋସିସ୍ ଘଟଣା ବୃଦ୍ଧି ପାଇଛି ବୋଲି ଆଜି ଏମ୍ସ ଭୁବନେଶ୍ୱରରେ “ବିଶ୍ୱ ଓଷ୍ଟିଓପୋରୋସିସ୍ ଦିବସ” ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଆଜି ଓପିଡି ପରିସରରେ ଏକ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମେଡିକାଲ୍ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏବଂ ଡିନ୍ ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।
ଓଷ୍ଟିଓପୋରୋସିସରେ ଆକ୍ରାନ୍ତ ରୋଗୀଙ୍କ ଅସ୍ଥି ଦୁର୍ବଳ ହୋଇଯାଇଥାଏ। ଯାହାକି ସାଧାରଣତଃ ଡେକ୍ସା ସ୍କାନ୍ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥାଏ ଯାହା। ଏହି ପ୍ରଣାଳୀ ଦ୍ବାରା ହାଡ଼ର ମିନେରାଲ୍ ସାନ୍ଦ୍ରତାକୁ ମାପ କରାଯାଇଥାଏ। ମାସିକ ଋତୁସ୍ରାବ ବନ୍ଦହୋଇଯାଇଥିବା ସମସ୍ତ ମହିଳା ଏବଂ ବୟସ୍କ ପୁରୁଷମାନେ ବର୍ଷକୁ ଅନ୍ତତଃ‌ପକ୍ଷେ ଥରେ ଡେକ୍ସା ସ୍କାନ୍ ଦ୍ବାରା ଅସ୍ଥିର ସାନ୍ଦ୍ରତାକୁ ଆକଳନ କରିବା ଉଚିତ୍ ବୋଲି ଅଧୀକ୍ଷକ ଡ. ମହାନ୍ତି ପ୍ରକାଶ କରିଛନ୍ତି।
ଓଷ୍ଟିଓପୋରୋସିସ୍ କାରଣରୁ ପିଠି, ଆଣ୍ଠୁ ଯନ୍ତ୍ରଣା ହୋଇଥାଏ ଏବଂ ଅଳ୍ପ ଆଘାତ ଦ୍ବାରା ମଧ୍ୟ ହାଡ଼ ଭାଙ୍ଗିଯାଇଥାଏ। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ନିୟମିତ ବ୍ୟାୟାମ, ଉପଯୁକ୍ତ ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ୍। ବୃଦ୍ଧ ରୋଗୀଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଦାନ କରାଯିବା ସହିତ ଓଷ୍ଟିଓପୋରୋସିସ୍ ଚିହ୍ନଟ ହୁଏ ତେବେ ସେମାନଙ୍କୁ କରାଯିବା ଉଚିତ ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି।
ଅର୍ଥୋପେଡିକ୍ସ ବିଭାଗର ଅତିରିକ୍ତ ପ୍ରଫେସର ଡ. ସୁଜିତ କୁମାର ତ୍ରିପାଠୀ ଏହି ନିରବ ମହାମାରୀ ବିଷୟରେ ଜନସଚେତନାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଡ. ତ୍ରିପାଠୀଙ୍କ ମତରେ ୫୦ ବର୍ଷ ବୟସ ପରେ ମହିଳାମାନେ ଓଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ଏହି ମହିଳାମାନେ ନିୟମିତ ଅସ୍ଥି ମିନେରାଲ୍ ସାନ୍ଦ୍ରତା (ବିଏମ୍‌ଡି) ଯାଞ୍ଚ କରିବା ଉଚିତ୍। ସହକାରୀ ପ୍ରଫେସର୍ ଡ. ଗୁଞ୍ଜର ଜୈନ, ଡ. ଗୁରୁଦୀପ ଦାସ, ଡ. ସାୟନ୍ତନ୍ ରାୟ(ଏଣ୍ଡୋକ୍ରାଇନୋଲୋଜି), ସିନିୟର୍‌ ରେସିଡେଣ୍ଟ୍‌ ଡ. ହୃଦେଶ୍ୱର ବେହେରା, ଡାଏଟିସିଆନ୍‌ ଡ. ସୌମ୍ୟାସୁଚରିତା ପୃଷ୍ଟି ପ୍ରମୁଖ ଏହି ରୋଗର ପ୍ରକାରଭେଦ, ନିରାକରଣ, ଜୀବନଶୈଳୀରେ ପରିବର୍ତ୍ତନ, ସୁଷମ ଖାଦ୍ୟ ଗ୍ରହଣ ଆଦି ସମ୍ପର୍କରେ ଉପାଦେୟ ମତ ରଖିଥିଲେ।
ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କର ମାଗଣା ଅସ୍ଥି ମିନେରାଲ୍ ସାନ୍ଧ୍ରତା ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୭୮ ରୋଗୀଙ୍କ ହାଡର ମିନେରାଲ୍ ସାନ୍ଦ୍ରତା ହ୍ରାସ ପାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିବାରୁ ଅର୍ଥୋପେଡିକ୍ସ ବିଭାଗକୁ ସାଧୁବାଦ ଜଣାଇଛନ୍ତି।

Related posts

ଆହୁରି ୨ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews

୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

୭ରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews