ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିର ଦୁଖି ଜେନାଙ୍କ ଗ୍ୟାସ ସିଲିଣ୍ଡର ଫାଟି ୬ ବଖରା ଘର ଜଳି ପାଉଁଶ ହେବା ଘଟଣା ଜାଣିବା ପରେ ପୁର୍ବତନମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥି ପହଞ୍ଚି ବିପନ୍ନଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ମହାରଥି ବିପନ୍ନଙ୍କୁ ଚାଉଳ,ବିସ୍କୁଟ ଓ ପଲିଥିନ ଯୋଗାଇଛନ୍ତି । ଏଥିସହ ତହସିଲଦାର ଓ ଆରଆଇ ତଦନ୍ତ ପରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ପଞ୍ଚାୟତରୁ ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ମହାରଥି । ଅନ୍ୟପଟେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ସ୍ଥାନୀୟ ଆରଆଇ ପଂହଚି ଘଟଣାର ସରଜମିନ ତଦନ୍ତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଜିଲ୍ଲାପରିଷଦଙ୍କ ପ୍ରତିନିଧି ସଦାଶିବ ଦାସ ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ସରପଞ୍ଚ ବାସନ୍ତି ବେହେରା ଓ ସମିତିସଭ୍ୟ ସୁମିତ୍ରା ଚଉଁରି ପ୍ରମୁଖ ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପିନ୍ଧିବା ପାଇଁ ଲୁଗା ଓ ଗାମୁଛା ଯୋଗାଇ ଦେଇଥିବା ଦେଖିବାକୁ ମିଳିଥିଲା।
ସୂଚନଯୋଗ୍ୟ, ଜେନାସାହିର ଘରେ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ନିଆଁ ଗ୍ୟାସ ସହ ଘରେ ବ୍ୟପୀଯାଇଥିଲା ଓ ଭୟରେ ସମସ୍ତେ ଘରୁ ବାହାରକୁ ବାହାରି ଯାଇଥିଲେ । କିନ୍ତୁ ଘର ଓ ଘର ପାଖ ନଡିଆ ଗଛରେ ନିଆଁ ଲାଗି ଯାଇଥିଲା । ଗ୍ୟାସ ବ୍ୟପୀଯିବାରୁ ନିଆଁ ଆଖି ପିଛୁଳାକେ ବ୍ୟାପୀଯାଇଥିଲା । ଫଳରେ ନିଆଁକୁ ଆୟତ କରିବା ସମ୍ଭବପର ହୋଇନଥିଲା । ସ୍ଥାନୀୟ ଲୋକଙ୍କ ସହିତ ପିପିଲିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଘରର ସମସ୍ତ ଆସବାବ ପତ୍ର ଠାରୁ ଆରମ୍ଭ କରି ଧାନ,ଚାଉଳ, ସଉଦା, ଲୁଗାପଟା, ସାର୍ଟିଫିକେଟ, ଜମିବାଡି କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଥିଲା ।