(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପରିସରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ)ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୁଣାଣି ପାଇଁ ଜନତାଙ୍କ ପକ୍ଷରୁ ୬୧ଟି ଅଭିଯୋଗ ଦାଖଲ ହୋଇଥିଲା । ଏଡିଏମ ପ୍ରଦୀପ୍ତ କୁମାର ସାହୁ, ଅତିରିକ୍ତ ଏସପି ପ୍ରତାପ କୁମାର ସ୍ୱାଇଁ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡିସିପି ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଆଦିଙ୍କ ଉପସ୍ଥିତି ଅଭିଯୋଗଗୁଡିକର ଶୁଣାଣି ହୋଇଥିଲା । ସାଣ୍ଡରା ପଞ୍ଚାୟତରେ ଅଧିକାଂଶ ନଳକୂପ ଅଚଳ ହୋଇପଡିଥିବା ବେଳେ ଯନ୍ତ୍ରପାତି ଅଭାବରୁ ମରାମତି ହୋଇ ପାରୁନଥିବା ସରପଞ୍ଚ ପ୍ରଦୀପ ନାଏକ ଅଭିଯୋଗ କରିଥିଲେ । ସତ୍ୟବାଦୀ ବ୍ଲକରେ ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ପେଣ୍ଠକଟା ଗ୍ରାମ ପଞ୍ଚାୟତର ପୂର୍ବରନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର କହିଥିଲେ । ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିବା ବେଳେ ସରକାରୀ ସାହାଯ୍ୟରୁ ଏଯାଏଁ ବଞ୍ଚିତ ଥିବା ବଳପୁର ଗାଁର ଭ୍ରମର ବେହେରା ଅଭିଯୋଗ କରିଥିଲେ । ଏହା ବ୍ୟତୀତ କାଳିଆ ଯୋଜନା, ବାତ୍ୟାରେ ଘରଭଙ୍ଗା କ୍ଷତିପୂରଣ, ଭତ୍ତା, କୃଷି, ଶିଶୁ ଓ ମହିଳା ଭିତ୍ତିକ ସମସ୍ୟାଗୁଡିକୁ ନେଇ ଆସିଥିବା ଅଭିଯୋଗଗୁଡିକର ଶୁଣାଣି ହୋଇଥିଲା । ପୁରୀ ଜିଲ୍ଲାପାଳଙ୍କ ଅଭିଯୋଗ ବିଭାଗର ଅଧିକାରୀ ସୂର୍ଯ୍ୟ କୁମାର ରଥ ଜନଶୁଣାଣି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗଗୁଡିକୁ ଶୁଣିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସମସ୍ୟାଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
previous post